ମେକ୍ସିକୋ ସିଟି: ମେକ୍ସିକୋରେ ପୁଣି ରକ୍ତର ହୋଲି ଖେଳିଲେ ଆତତାୟୀ । କାର୍ ରେସିଂ ଚାଲିଥିବା ବେଳେ ହଠାତ୍ ପହଞ୍ଚି ଆଖିବୁଜା ଗୁଳିବର୍ଷଣ କଲେ । ଏହି ଗୁଳିମାଡରେ ଅତିକମରେ ୧୦ ଜଣ ରେସରଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ଗତକାଲି ଉତ୍ତର ମେକ୍ସିକୋର ବାଜା କାର୍ଲିଫର୍ଣ୍ଣିଆରେ ଏଭଳି ବର୍ବରୋଚିତ କାଣ୍ଡ ଘଟିଛି । ଅଜଣା ବନ୍ଧୁକଧାରୀଙ୍କ ଗୁଳିମାଡରେ ୧୦ କାର୍ ରେସର୍ ଆଖି ବୁଜିଛନ୍ତି । ସ୍ଥାନୀୟ ଷ୍ଟେଟ ଆଟର୍ଣ୍ଣି ଜେନେରାଲ କାର୍ଯ୍ୟାଳୟ ପକ୍ଷରୁ ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦିଆଯାଇଛି ।
ସମ୍ବାଦ ସରବରାହ ସଂସ୍ଥା ରୟଟର୍ସର ରିପୋର୍ଟ ଅନୁସାରେ, ଗତକାଲି ମେକ୍ସିକୋର ବାଜା କାର୍ଲିଫର୍ଣ୍ଣିଆ ଅନ୍ତର୍ଗତ ସାନ୍ ଭିସେଣ୍ଟେ ଅଞ୍ଚଳରେ ଏକ କାର୍ ରେସିଂ ଶୋ' ଆୟୋଜିତ ହୋଇଥିଲା । ଏଥିରେ ବିଭିନ୍ନ ସ୍ଥାନରୁ ଅନେକ ରେସର୍ ଆସି ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗୀମାନେ ରେସ୍ ଆରମ୍ଭ କରିବା ପୂର୍ବରୁ ଅପରାହ୍ନ ପ୍ରାୟ ୨ଟା ୧୮ ମିନିଟ୍ ସମୟରେ କିଛି ଅଜଣା ବନ୍ଧୁକଧାରୀ ଏକ ଭ୍ୟାନରେ ସେଠାରେ ପହଞ୍ଚିଥିଲେ । ସେମାନେ ହଠାତ୍ ଗାଡିରୁ ବାହାରି ପ୍ରତିଯୋଗୀମାନଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ । ରେସିଂ ଶୋ' ପାଖ ଏକ ଗ୍ୟାସ୍ ଷ୍ଟେସନ ପାଖରେ ଏହି ଗୁଳିକାଣ୍ଡ ଘଟିଥିଲା ।