ହନୁଲୁଲୁ: ମଝି ଆକାଶରେ ଦୋହଲିଲା ହାୱାଇ ଏୟାରଲାଇନ୍ସ ବିମାନ । ଆହତ ହେଲେ ୩୬ ଯାତ୍ରୀ(36 people Injured Amid Turbulence on Hawaii flight) । ଗତକାଲି (ରବିବାର) ବିମାନଟି ଫିନିକ୍ସରୁ ହନଲୁଲୁ ଯାଉଥିବା ବେଳେ ଘଟିଛି ଅଘଟଣ । ୨୦ ଯାତ୍ରୀଙ୍କୁ ଏମରଜେନ୍ସି ଚିକିତ୍ସା ପାଇଁ ହନୁଲୁଲୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ହାୱାଇ ଏୟାରଲାଇନ୍ସ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।
ସୂଚନାଅନୁସାରେ, ରବିବାର ଦିନ ଫିନିକ୍ସରୁ ହନଲୁଲୁ ଯାଉଥିଲା ହାୱାଇ ଏୟାରଲାଇନ୍ସର ଏକ ବିମାନ । ହନଲୁଲୁରେ ଅବତରଣ କରିବାର ୩୦ ମିନିଟ ପୂର୍ବରୁ ବିମାନଟି ଦୋହଲି ଯାଇଥିଲା । ତେବେ ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଏଭଳି ଘଟିଥିବା ସୂଚନା ରହିଛି । ଆହତ ହୋଇଥିବା ୩୬ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କ ମଧ୍ୟରେ ଜଣେ ୧୪ ମାସର ଶିଶୁ ରହିଥିବା ଜଣାପଡିଛି ।
ଏହି ଘଟଣାକୁ ନେଇ ହାୱାଇ ଏୟାରଲାଇନ୍ସ ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ, "ହନଲୁଲୁରେ ଅବତରଣ କରିବାରର ୩୦ ମିନିଟ ପୂର୍ବରୁ ବିମାନଟି ଦୋହଲି ଯାଇଥିଲା । ବହୁ କସରତ ପରେ ପୂର୍ବାହ୍ନ ୧୦ଟା ୫୦ ସମୟରେ ହନଲୁଲୁରେ ନିରାପଦରେ ବିମାନ ଅବତରଣ କରିଥିଲା । ଆହତ ହୋଇଥିବା ଯାତ୍ରୀ ଏବଂ ସଦସ୍ୟମାନଙ୍କର ଚିକିତ୍ସା କରାଯାଉଛି । ଆଉ କିଛି ଯାତ୍ରୀ ଗୁରୁତର ହେବାରୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।"
ଏହା ମଧ୍ୟ ପଢନ୍ତୁ: ଯୋଧପୁର ସିଲିଣ୍ଡର ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା 35କୁ ବୃଦ୍ଧି, ମୃତକଙ୍କ ପରିବାରକୁ 17 ଲକ୍ଷ ସହାୟତା
ତେବେ କିଛି ଯାତ୍ରୀଙ୍କର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଅନ୍ୟକେତେଜଣ ଅଚେତ ରହିଥିବା ନେଇ ହନଲୁଲୁ ଏମର୍ଜେନ୍ସି ମେଡିକାଲ୍ ସର୍ଭିସେସ ପକ୍ଷରୁ କୁହାଯାଇଛି । ତେବେ ଉକ୍ତ ବିମାନରେ ୨୭୮ ଯାତ୍ରୀ ଏବଂ ୧୦ଜଣ କ୍ରୁ ସଦସ୍ୟ ରହିଥିବା ନେଇ ଏୟାରଲାନ୍ସ ପକ୍ଷରୁ କୁହାଯାଇଛି ।