ହାଇଦ୍ରାବାଦ: ଥାଇଲାଣ୍ଡର ଏକ ବାଣ ତିଆରି କାରଖାନାରେ ବଡଧରଣର ବିସ୍ଫୋରଣ ଘଟିଛି । ଏଥିରେ ଅତିକମରେ 15ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ କାରଖାନାରେ କାର୍ଯ୍ୟରତ କର୍ମଚାରୀ ଓ ସାଧାରଣ ଲୋକ ଥିବା ମଧ୍ୟ ଜଣାପଡିଛି । ଉଦ୍ଧାର ଅପରେସନ ଜାରି ରହିଛି । ବିସ୍ଫୋରଣର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି । ମୃତାହତଙ୍କ ସଂଖ୍ୟା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଅନେକ ଆହତ ହୋଇଥିବା କାରଣରୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି ।
ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ, ଆଜି ପୂର୍ବାହ୍ନରେ ଏହି ବାଣ ତିଆରି କାରଖାନାରେ ହଠାତ ବିସ୍ଫୋରଣ ସହ ଅଗ୍ନିକାଣ୍ଡ ଘଟିଥିଲା । ବିସ୍ଫୋରଣ ସମୟରେ ବହୁ କର୍ମଚାରୀ ଏହି କାରଖାନାରେ କାର୍ଯ୍ୟରତ ଥିଲେ । ବହୁ ପରିମାଣରେ ବାଣ ପ୍ରସ୍ତୁତ ହୋଇ ଗଚ୍ଛିତ ରଖାଯାଇଥିବା ସହ ବାଣ ପ୍ରସ୍ତୁତିରେ ବ୍ୟବହାର ବିସ୍ଫୋରକ ସାମଗ୍ରୀ ମଧ୍ୟ ରହିଥିଲା । ତେଣୁ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଏହି ବିସ୍ଫୋରଣ ଘଟିଛି । ଏଥିରେ ବହୁଲୋକେ ମୃତାହତ ହୋଇଛନ୍ତି । ଏବେ ପର୍ଯ୍ୟନ୍ତ 15 ରୁ 17 ମୃତଦେହ ଉଦ୍ଧାର କରାଯାଇଛି । ବହୁସଂଖ୍ୟାରେ ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ କିଛି ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢିବାରେ ବୋଲି ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ଓ ଉଦ୍ଧାରକାରୀ ଟିମ ପହଞ୍ଚିଛନ୍ତି । ଉଦ୍ଧାର ଅପରେସନ ସହ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି । ହସ୍ପିଟାଲରେ ଆହତଙ୍କ ଚିକିତ୍ସା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।