ହାଇଦ୍ରାବାଦ (ପାକିସ୍ତାନ) :ପାକିସ୍ତାନର ଏକ ସେନା କ୍ୟାମ୍ପରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ପାକିସ୍ତାନ ସେନାର ପ୍ରାୟ 23 ଯବାନଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି । ଆଜି ସକାଳେ ପାକିସ୍ତାନ-ଆଫଗାନିସ୍ତାନ ସୀମା ନିକଟବର୍ତ୍ତୀ ଖାଇବର ପଖତୁନ ପ୍ରଦେଶର ଡେରା-ଇସମୈଲ ଖାନ ଜିଲ୍ଲାରେ ଏକ ସେନା କ୍ୟାମ୍ପରେ ଆତ୍ମଘାତୀ ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ । ଏଥିରେ ଏକାଧିକ ଆତଙ୍କବାଦୀ ସୁଇସାଇଡ ବମ ମାଧ୍ୟମରେ ଆକ୍ରମଣ କରିଥିବା ଜଣାପଡିଛି । କ୍ୟାମ୍ପରେ ଥିବା ପାକିସ୍ତାନ ସେନାର ପ୍ରାୟ 23 ଯବାନ ପ୍ରାଣ ହରାଇବା ସହ ବହୁ ଯବାନ ଆହତ ହୋଇଛନ୍ତି । ଏହି ଆକ୍ରମଣ ‘ପାକିସ୍ତାନୀ- ତାଲିବାନ’ ପକ୍ଷରୁ କରାଯାଇଥିବା ଦାବି ହୋଇଛି ।
ସ୍ଥାନୀୟ ଅଧିକାରୀ ଓ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କ୍ୟାମ୍ପରେ ସେନାର ଯବାନମାନେ ଶୋଇଥିବା ବେଳେ ପ୍ରାୟ ଭୋର ସମୟରେ ଏହି ଅତର୍କିତ ଆକ୍ରମଣ ହୋଇଛି । କ୍ୟାମ୍ପରେ ହଠାତ ବିସ୍ଫୋରଣ ହୋଇଥିଲା । ଜଣେ କିମ୍ବା ଏକାଧିକ ଆତଙ୍କବାଦୀ ସୁଇସାଇଡ ବମ ସହ କ୍ୟାମ୍ପରେ ଅନୁପ୍ରବେଶ କରି ବିସ୍ଫୋରଣ ଘଟାଇଥିବା ସନ୍ଦେହ କରାଯାଉଛି । ଏପର୍ଯ୍ୟନ୍ତ 23 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ସମସ୍ତ ମୃତକ ସେନା ଯବାନ ହୋଇଥିବା ନେଇ ପ୍ରାୟତଃ ସନ୍ଦେହ କରାଯାଉଛି । ଅନ୍ୟ 27 ରୁ ଅଧିକ ଯବାନ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକ ଗୁରୁତର ମଧ୍ୟ ଅଛନ୍ତି । ଘଟଣାସ୍ଥଳରେ ଅଧିକ ଫୋର୍ସ ପହଞ୍ଚିଛନ୍ତି । ଆକ୍ରମଣର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।