ଇଆ ସାଲଭାଡୋର:ମଧ୍ୟ ଆମେରିକୀୟ ଦେଶରେ ଅଭାବନୀୟ ଘଟଣା । ଇଆ ସାଲଭାଡୋରର ଏକ ଷ୍ଟାଡିୟମରେ ଦଳାଚକଟା ହେବାରୁ ୯ ଜଣଙ୍କର ମୃତ୍ୟୁ । ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଷ୍ଟାଡିୟମରେ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ ଦର୍ଶକ । ଏହି ସମୟରେ ଦଳାଚକଟା ହେବାରୁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଗଣମାଧ୍ୟମ ଏନେଇ ରିପୋର୍ଟ କରିଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।
ଏନେଇ ନ୍ୟାସନାଲ ସିଭିଲ ପୋଲିସ କହିଛି , ''ଏଲ ସାଲଭାଡୋରର କସ୍କକଟଲାନ ଷ୍ଟାଡିୟମରେ ଆଲିଆଞ୍ଜା ଏବଂ ଫାସ ମଧ୍ୟରେ ମ୍ୟାଚ ଚାଲିଥିଲା । ଷ୍ଟାଡିୟମରେ ମ୍ୟାଚ ଚାଲିଥିବା ବେଳେ ବହୁ ଦର୍ଶକ ଏକା ସାଙ୍ଗରେ ଷ୍ଟାଡିୟମ ମଧ୍ୟକୁ ପ୍ରବେଶ କରିବାରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ''
ସାଲଭାଡୋରନର ସ୍ବାସ୍ଥ୍ୟମନ୍ତ୍ରୀ ଫ୍ରାନ୍ସିସକୋ ଆଲବି ଟ୍ବିଟ କରି କହିଛନ୍ତି, ''ଷ୍ଟାଡିୟମରେ ଏପରି ପରିସ୍ଥିତି ସୃଷ୍ଟି ହେବା ପରେ ଏକ ଏକ ଟିମ ଘଟଣାସ୍ଥଳରେ ନିୟୋଜିତ ହୋଇଛନ୍ତି । ଆହତ ମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।'' ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଷ୍ଟାଡିୟମ ବାହାରେ ଆମ୍ବୁଲାନ୍ସ ଥିବା ଦେଖିବାକୁ ମିଳିଛି ।
ଗତବର୍ଷ ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ ଚାଲିଥିବାବେଳେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ମ୍ୟାଚ୍ ହାରିଯିବାରୁ ଦୁଇ ଦଳ ମଧ୍ୟରେ ସଂଘର୍ଷ ପରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅତି କମରେ 174 ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ଏକାଧିକ ଆହତ ମଧ୍ୟ ହୋଇଥିଲେ । ମୃତକଙ୍କ ମଧ୍ୟରେ ଶିଶୁ ଓ ପୋଲିସ କର୍ମଚାରୀ ରହିଥିଲେ । ଏହି ସଂଘର୍ଷ ପରେ ଅନୁଷ୍ଠିତ ଫୁଟବଲ ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା ।
ସେହିପରି କ୍ୟାମେରୁନର ରାଜଧାନୀ ୟାଉନ୍ଦେରେ ଥିବା ଓଲେମ୍ବେ ଷ୍ଟାଡିୟମରେ ଦଳାଚକଟା ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଫୁଟବଲ ଷ୍ଟାଡିୟମ ବାହାରେ ପ୍ରବଳ ଭିଡ଼ ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଥିଲେ । ୬୦ ହଜାର ଦର୍ଶକ ବିଶିଷ୍ଟ ଏହି ଷ୍ଟାଡିୟମରେ କୋରୋନା ଯୋଗୁଁ ୬୦ ପ୍ରତିଶତ ଲୋକଙ୍କୁ ଯିବାକୁ ଅନୁମତି ରହିଥିଲା । ହେଲେ ପରବର୍ତ୍ତୀ ସମୟରେ ଏହାକୁ ୮୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଷ୍ଟାଡିୟମକୁ ପ୍ରବେଶ ସମୟରେ ଦଳାଚକଟା ହେବାରୁ ୮ଜଣଙ୍କର ମୃତ୍ୟୁ ହୋଇଥିଲା ।