ହାଇଦ୍ରାବାଦ:ଆମେରିକାର ଲସ ଆଞ୍ଜେଲସରେ ଏକ କାର୍ଯ୍ୟକ୍ରମ ବେଳେ ଜଣେ ଅଜଣା ଆତତାୟୀ ଅତର୍କିତ ଗୁଳିମାଡ କରିଛି । ଏଥିରେ ଅତିକମରେ ପ୍ରାୟ 9 ଜଣଙ୍କର ମୃତ୍ୟୁ ହୋଇଥିବା ସହ ଅନେକ ଆହତ ହୋଇଥିବା ଆଶଙ୍କା କରାଯାଉଛି । ଗତକାଲି ବିଳମ୍ବିତ ରାତିରେ ପୂର୍ବ ଲସ-ଆଞ୍ଜେଲସରେ ମେନେଟେରି ପାର୍କ ଏରିଆରେ ଏକ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏହି ଆକ୍ରମଣ ହୋଇଛି । ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ଆକ୍ରମଣକୁ ଜଣେ ଦୁର୍ବୃତ୍ତ ରୂପ ଦେଇ ଫେରାର ହୋଇଯାଇଛି । ଆକ୍ରମଣର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଆକ୍ରମଣକାରୀକୁ ଗିରଫ କରିବା ପାଇଁ ପୋଲିସର ଅପରେସନ ଜାରି ରହିଛି ।
ସ୍ଥାନୀୟ ଏକ ଗଣମାଧ୍ୟମ ‘‘ଦି ଲସ ଆଞ୍ଜେଲସ ଟାଇମ’’ରେ ପ୍ରକାଶିତ ତଥ୍ୟ ଅନୁସାରେ, ଲସ ଆଞ୍ଜେଲସରୁ ପ୍ରାୟ 20 କି.ମି ଦୂରରେ ଥିବା ମଣ୍ଚେରୀ ଟାଉନରେ ଗତକାଲି ରାତି ପ୍ରାୟ 10 ଟାରେ ଏହି ଆକ୍ରମଣ ହୋଇଛି । ସହରରେ ଲୁନାର ନ୍ୟୁ-ଇୟର ପାଳନ କରାଯାଉଥିଲା । କାର୍ଯ୍ୟକ୍ରମ ହେଉଥିବା ସ୍ଥାନର କିଛି ଦୂରରେ ଥିବା ଏକ ରେସ୍ତୋରାଁ ନିକଟରେ ହଠାତ ଏହି ଆକ୍ରମଣ କରିଥିଲା ଆତତାୟୀ । କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଆକ୍ରମଣକାରୀ ଜଣେ ଥିଲା ଓ ତାର ହାତରେ ଏକାଧିକ ମାଗାଜିନ୍ ସହ ମେସିନ୍ ଗନ୍ ମଧ୍ୟ ରହିଥିଲା । ଅତର୍କିତ ଗୁଳିମାଡ଼ ହେବା ପରେ ଉପସ୍ଥିତ ସାଧାରଣ ଜନତା ଏଣେତେଣେ ଧାଇଁବାକୁ ଲାଗିଥିଲେ । ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏକାଧିକ ରାଉଣ୍ଡ ଫାଏରିଂ କରିବା ପରେ ଆକ୍ରମଣକାରୀ ମଧ୍ୟ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲା ।