ଇସଲାମବାଦ:ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ପାକିସ୍ତାନ । ମଙ୍ଗଳବାର ରାତିରେ ପଡୋଶୀ ପାକିସ୍ତାନ ଓ ଆଫଗାନିସ୍ତାନରେ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ କରାଯାଇଛି । ଭୂମିକମ୍ପରେ ଦୁଇ ଦେଶରେ ଏବେସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଥିବାବେଳେ ଏଥିରେ ୧୦୦ରୁ ଅଧିକ ଲୋକେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପାକିସ୍ତାନର ଜରୁରକାଳୀନ ସେବା ବିଭାଗର ମୁଖପାତ୍ର ବିଲାଲ ଫୈଜ ଏନେଇ ସୂଚନା ଦେଇଛନ୍ତି ।
ଏତେ ଜୋରରେ ଭୂମିକମ୍ପ ହୋଇଥିଲା ଯେ, ସବୁ ଘରଦ୍ବାର ଦୋହଲିବାକୁ ଲାଗିଥିଲା । ଲକ୍ଷ ଲକ୍ଷ ଲୋକେ ଭୟରେ ବାହାରକୁ ବାହାରି ଆସିଥିଲେ । ଅନେକ ବଡ ବଡ କୋଠା ନିମିଷକେ ଭୁଶୁଡି ପଡିଥିବାବେଳେ ଆଉ କିଛି ଫାଟି ଯାଇଛି । ଭୂମିକମ୍ପରେ ଉତ୍ତରପଶ୍ଚିମ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ କୋଠା ଭୁଶୁଡିବା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଡର୍ଜନରୁ ଅଧିକ ଆହତ ହୋଇଛନ୍ତି । ତେବେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନରେ ଥିଲା । ପାକିସ୍ତାନର ଲାହୋର, ଇସଲାମବାଦ, ପେଶାୱାର, କୋହତ ସମେତ ତାଜିକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାଯୋଗୁଁ ବିଭିନ୍ନ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିବାର ମଧ୍ୟ ରିପୋର୍ଟ ମିଳିଛି ।
ଉତ୍ତରପଶ୍ଚିମ ପାକିସ୍ତାନର ବିପର୍ଯ୍ୟୟ ପରିଚାଳନ କର୍ତ୍ତୃପକ୍ଷ ମୁଖପାତ୍ର ତୈମୁର ଖାନ କହିଛନ୍ତି, ଦୁର୍ଗମ ଅଞ୍ଚଳରେ ଅତିକମରେ ୧୯ଟି ମାଟିଘର ଭାଙ୍ଗି ଯାଇଛି । ବର୍ତ୍ତମାନ କ୍ଷୟକ୍ଷତିର ଆକଳନ ଜାରି ରହିଛି । ଇସଲାମବାଦ ସହରର ଅନେକ ଆପାର୍ଟମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା ଦେଖାଯାଇଛି । ଭୂକମ୍ପ ସମୟରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ଲୋକେ ଏତେମାତ୍ରାରେ ଡରିଯାଇଥିଲେ ଯେ, ପବିତ୍ର କୋରାନ ପଢିବା ଆରମ୍ଭ କରିଥିଲେ ।