ତେହରାନ:ଇରାନରେ ଭୟଙ୍କର ଭୂକମ୍ପ । ଶନିବାର ବିଳମ୍ବିତ ରାତିରେ ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇରାନର ଖୋଇ ସହର । ରିକ୍ଟର ସ୍କେଲରେ ତୀବ୍ରତା ୫.୯ ରେକର୍ଡ । ଏନେଇ ଆମେରିକା ଜିଓଲୋଜିକାଲ ସର୍ଭେ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ପ୍ରାଣ ଯାଇଥିବା ବେଳେ ୪୪୦ ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି । ତେବେ ପରବର୍ତ୍ତି ସମୟରେ ମୃତାହତ ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ହୋଇପାରୋ ବୋଲି ଅନୁମାନ କରାଯାଉଛି ।
ସୂଚନାଅନୁସାରେ, ଭାରତର ସମୟ ଗତକାଲି ବିଳମ୍ବିତ ରାତି ୧୧.୪୪ ମିନିଟ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଖୋଇଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗର ୧୪ କିମି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ଗଭୀରତା ୧୦ କିମି ରେକର୍ଡ କରାଯାଇଛି । ଏନେଇ ଆମେରିକା ଜିଓଲୋଜିକାଲ ସର୍ଭେ ସଂସ୍ଥା ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଥିଲା । ଖୋଇରେ ଏହାର କେନ୍ଦ୍ରସ୍ଥଳ ରହିଥିବା ବେଳେ ଏହାର ପ୍ରଭାବ ଆଖପାଖ ସହର ଉପରେ ମଧ୍ୟ ପଡିଥିଲା । ଇରାନର ଆଜିରବାଇଜାନ ଉପରେ ଅଧିକ ପ୍ରଭାବ ରହିଥିଲା । ପୂର୍ବ ଆଜିରବାଇଜାନ ଏବଂ ତାବରିଜରେ ଅଧିକ କ୍ଷୟକ୍ଷତି ଘଟାଇଛି ଏହି ଭୂକମ୍ପ । ତେବେ ବର୍ତ୍ତମାନ ସୁଦ୍ଧା ୭ ଜଣ ମୃତ୍ୟୁ ହୋଇଥିବା ବେଳେ ୪୦୦ରୁ ଅଧିକ ଲୋକ ଆହତ ହୋଇଥିବା ନେଇ ଖବର ହସ୍ତଗତ ହୋଇଛି । ଭୂକମ୍ପ ପରଠାରୁ ମୃତ୍ୟୁ ଏବଂ ଆହତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା କାରଣରୁ ଆଗକୁ ଏହି ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି ।