ଇସଲାମାବାଦ:ପାକିସ୍ତାନରେ ଏକ ବସ୍ରେ ଅଗ୍ନିକାଣ୍ଡ ଘଟି ୧୭ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । କରାଚୀରୁ ୯୦ କିମି ଦୂରରେ ଥିବା ନୁରିୟାବାଦ ସହରରେ ଏହି ଅଗ୍ନିକାଣ୍ଡ ଘଟିଛି । ଗତ କିଛି ଦିନ ପୂର୍ବରୁ ପାକିସ୍ତାନ ବନ୍ୟାରେ ବେହାଲ ହୋଇଥିଲା । ଏହି ସମୟରେ ଅନେକଙ୍କୁ ନିଜ ଘର ଛାଡ଼ିବାକୁ ପଡ଼ିଥିଲା । ତେବେ ବନ୍ୟାର ପ୍ରଭାବ କମିବା ପରେ ପ୍ରପୀଡ଼ିତଙ୍କୁ ନେଇ ଏକ ବସ୍ ନାଥନ ଶାହ ଇଲାକାକୁ ଯାଉଥିଲା(several flood affected died) ।
ଏହି ସମୟରେ କୌଣସି କାରଣରୁ ବସ୍ରେ ଅଚାନକ ନିଆଁ ଲାଗି ଯାଇଥିଲା । ଫଳରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ନୁରିୟାବାଦର ରାଜରାସ୍ତାରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ବସ୍ରେ ପ୍ରାୟ ୫୦ରୁ ଅଧିକ ବନ୍ୟା ପ୍ରପୀଡ଼ିତ ଥିବା ନେଇ ସ୍ଥାନୀୟ ଇଣ୍ଟରସିଟି ପୋଲିସ ସୂଚନା ପ୍ରଦାନ କରିଛି । ବନ୍ୟା ଯୋଗୁଁ ଏମାନଙ୍କୁ ଉଦ୍ଧାର କରି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯାଇଥିଲା ।
ବନ୍ୟାର ପ୍ରଭାବ କମିବା ପରେ ଏମାନଙ୍କୁ ଘରକୁ ଫେରାଇ ନିଆଯାଉଥିଲା । ଏହି ସମୟରେ ବସ୍ରେ ଅଗ୍ନିକାଣ୍ଡ ଘଟି ୧୭ ଜଣଙ୍କ ମୃତ୍ୟୁ ହୋଇଛି । କେଉଁ କାରଣରୁ ବସ୍ରେ ଅଗ୍ନିକାଣ୍ଡ ଘଟିଲା ତାହାର ତଦନ୍ତ ଆରମ୍ଭ ହୋଇଛି । ସେପଟେ ମୃତଦେହର ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ନିଆଁରୁ ବର୍ତ୍ତିବାକୁ ଅନେକ ଲୋକ ବସ୍ରୁ ଡେଇଁ ପଡ଼ିଥିଲେ । ନିଆଁ ପ୍ରଥମେ ବସ୍ର ପଛ ଭାଗରେ ଲାଗିଥିଲା । ଏହାପରେ ଧୀରେ ଧୀରେ ପୂରା ବସ୍ରେ ନିଆଁ ଲାଗିଯାଇଥିଲା ।
ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ସିନ୍ଧର ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ଓ ଆହତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଉଭୟ ପ୍ରତିଶୃତି ଦେଇଛନ୍ତି । ତା ସହିତ ପୋଲିସ ମଧ୍ୟ ଆବଶ୍ୟକ ସହାୟତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୃତକଙ୍କ ମଧ୍ୟରେ ୧୨ ଜଣ ନାବାଳିକା ଥିଲେ । ସେମାନଙ୍କ ବୟସ ୧୫ ବର୍ଷରୁ କମ୍ ଥିଲା ଜଣା ପଡ଼ିଛି । ସିନ୍ଧ ରାଜ୍ୟର ଦାଦୁ ଜିଲ୍ଲା ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ।