ହାଇଦ୍ରାବାଦ:ସିରିଆରେ ଏକ 5ମହଲା ଅଟ୍ଟାଳିକା ଭୁଶୁଡିପଡିଛି । ଏଥିରେ ପ୍ରାୟ 12ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆଜି(ରବିବାର) ସକାଳେ ଆଲେପ୍ପୋରେ ଏହି ଅଘଟଣ ଘଟିଛି । ସିରିଆର ଉତ୍ତର ଆଲୋପୋ ସହରରେ ଥିବା ଏକ 5 ମହଲା କୋଠା ଭୁଶୁଡି ପଡିଥିଲା । ଭଗ୍ନାବଶେଷ ତଳେ ପ୍ରାୟ 30ଜଣ ଚାପି ହୋଇ ରହିଥିଲେ । ଉଦ୍ଧାର ଅପରେସନରେ ପ୍ରାୟ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ବେଳେ 12ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛନ୍ତି । ଅନ୍ୟ କିଛି ଗୁରୁତର ଥିବା ହେତୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ମଧ୍ୟ ରହିଛି ।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ସମର୍ଥିତ କୁର୍ଦ୍ଦ ଫୋର୍ସ ନିୟନ୍ତ୍ରଣରେ ଥିବା ଆଲୋପୋ ସହରର ଏହି ପାଞ୍ଚ ମହାଲା ବିଶିଷ୍ଟ କୋଠାଟି ଭୁଶୁଡିପଡିଥିଲା । ଏଥିରେ ପ୍ରାୟ 30ଜଣ ରହୁଥିଲେ । ଏକାଧିକ ଉଦ୍ଧାରକାରୀ ଟିମ୍ ଓ ଅନ୍ୟ ଜରୁରୀକାଳୀନ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଥିଲେ । କୋଠାର ଭଗ୍ନାବଶେଷ ତଳୁ ପ୍ରାୟ 12 ମୃତଦେହ ଉଦ୍ଧାର ହେବା ସହ ଅନ୍ୟ କେତେକ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛି । ସେହିପରି ଚିକିତ୍ସାଧୀନଙ୍କ ମଧ୍ୟରେ କିଛି ଗୁରୁତର ରହିଛନ୍ତି । ତେବେ କୋଠାଟିର ମୁଳଦୁଆ ଦୁର୍ବଳ ଥିବା କାରଣରୁ ଏହା ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଥିଲା । ତେଣୁ ଏହି ଅଘଟଣ ଘଟିଥିବା ବୋଲି କୁହାଯାଉଛି ।