ଢାକା:ବାଂଲାଦେଶରେ ପ୍ରାକ୍ ନିର୍ବାଚନୀ ହିଂସା । ବେଣାପୋଲ ଏକ୍ସପ୍ରେସ ଟ୍ରେନରେ ନିଆଁ ଲଗାଇଦେଲେ ବିଏନପି ଜମାତ ପାର୍ଟିର କର୍ମୀ । ଅଗ୍ନିକାଣ୍ଡରେ 5 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି । ଟ୍ରେନଟି ବେଣାପୋଲରୁ ଢାକା ଯାଉଥିବା ବେଳେ ଶୁକ୍ରବାର ରାତି 9ଟା ସମୟରେ ଏହି ଘଟଣା ଘଟିଥିଲା । ଏନେଇ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା । ଏହି ଟ୍ରେନରେ ଅନେକ ଭାରତୀୟ ମଧ୍ୟ ଯାତ୍ରା କରୁଥିଲେ ।
ଏହା ମଧ୍ୟ ପଢନ୍ତୁ-ବାଂଲାଦେଶରେ ପାସେଞ୍ଜର-ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା: 20 ମୃତ, ଅନେକ ଆହତ
ରବିବାର ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ବିଏନପି ଜମାତ ପାର୍ଟିର କର୍ମୀ ଶୁକ୍ରବାର ରାତିରେ ଢାକା ସମେତ ଅନେକ ସ୍ଥାନରେ ଆନ୍ଦୋଳନ କରୁଥିଲେ । ଯାହା ପର ମୂହୁର୍ତ୍ତରେ ତୀବ୍ର ରୂପ ଧାରଣା କରିଥିଲା । ବେଣାପୋଲରୁ ଯାତ୍ରୀଙ୍କୁ ନେଇ ଏକ୍ସପ୍ରେସ ଟ୍ରେନ ଢାକା ଯାଉଥିବା ବେଳେ କମଲାପୁର ରେଳ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଟ୍ରେନଟି ଜଳୁଥିବା ଦେଖିବାକୁ ମିଳିଥିଲା ।
ଗୋପିବାଗ ମାର୍କେଟ ନିକଟରେ ଟ୍ରେନରେ ନିଆଁ ଲଗାଇ ଦେଇଥିଲେ ଆନ୍ଦୋଳନକାରୀ । ଫଳରେ ଟ୍ରେନରେ 4ଟି ବଗି ଜଳି ଯାଇଥିବା ବେଳେ 5 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରେନରେ ଅନେକ ଭାରତୀୟ ଯାତ୍ରୀ ମଧ୍ୟ ଯାତ୍ରା କରୁଥିଲେ । ମୃତକଙ୍କ ମଧ୍ୟରେ ଭାରତୀୟ ଅଛନ୍ତି ନା ନାହାନ୍ତି ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି ।
ଏହା ମଧ୍ୟ ପଢନ୍ତୁ-ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସ ଇଞ୍ଜିନରେ ଧୂଆଁ, ମରାମତି ପରେ ଗଡିଲା ଟ୍ରେନ
ବିଏନପି ଜମାତ ପାର୍ଟିର କର୍ମୀଙ୍କ ଦ୍ବାରା ଏହା ପ୍ରଥମ ନିର୍ବାଚନୀ ହିଂସା ନୁହଁ । ଏହା ପୂର୍ବରୁ ମଧ୍ୟ ସେମାନେ ନିର୍ବାଚନ ପୂର୍ବରୁ ହିଂସାକାଣ୍ଡ ଘଟାଇଥିବା ନଜିର ରହିଛି । ଗତ ଦୁଇ ମାସ ମଧ୍ୟରେ ବିଏନପି ଜମାତ ଦ୍ୱାରା ପ୍ରାୟ 300 ଗାଡି ଭଙ୍ଗାରୁଜା କରାଯାଇଛି । ପୂର୍ବରୁ ଟ୍ରେନରେ ନିଆଁ ଲଗାଇବା ଏବଂ ରେଳ ଲାଇନ କାଟିବା ଘଟଣାରେ ପ୍ରାୟ 5 ଜଣଙ୍କର ମୃତ୍ୟୁ ଘଟିଥିଲା । ଡିସେମ୍ବର 19 ତାରିଖ ଦିନ ଢାକାର ତେଜଗାଓଁ ଅଞ୍ଚଳରେ ମୋହନଞ୍ଜ ଏକ୍ସପ୍ରେସ ଟ୍ରେନରେ ନିଆଁ ଲଗାଇ ଦେଇଥିଲେ ବିଏନପି ଜମାତ ପାର୍ଟିର କର୍ମୀ । ଏଥିରେ 4 ଜଣଙ୍କର ମୃତ୍ୟୁ ହୋଇଥିଲା ।