ଇସଲାମବାଦ:ପୁଣି ବିସ୍ଫୋରଣରେ ଥରିଲା ପାକିସ୍ତାନ । ଗତକାଲି(ସୋମବାର) ରାତିରେ ପାକିସ୍ତାନର ଗୋଟିଏ ଥାନାରେ ବଡ ଧରଣର ବିସ୍ଫୋରଣ ହୋଇଛି । ଏଥିରେ ୧୨ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲଗୁଡିକରେ ଭର୍ତ୍ତି କରାଯାଇଛି । ସ୍ବାତ୍ ଉପତ୍ୟାକାର କବାଲ ଥାନାରେ ଏହି ବିସ୍ଫୋରଣ ହୋଇଛି । ଉକ୍ତ ଥାନା ପରିସରରେ ଆତଙ୍କବାଦ ନିରୋଧି ବିଭାଗ (CTD) ସହ ଗୋଟିଏ ମସଜିଦ ରହିଥିଲା । ବିସ୍ଫୋରଣରେ କୋଠାଗୁଡିକ ଭୁଶୁଡି ପଡିଛି । ତେବେ ଏହା ଆତ୍ମଘାତୀ ଆକ୍ରମଣ ହୋଇଥିବାର ସନ୍ଦେହ କରାଯାଉଥିବା ବେଳେ ଏନେଇ କିଛି ସ୍ପଷ୍ଟ ହୋଇନାହିଁ । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଜାରି ହୋଇଛି ।
ଏହାମଧ୍ୟ ପଢନ୍ତୁ: Operation Kaveri: ପୋର୍ଟ ସୁଦାନରେ ପହଞ୍ଚିଲେ 500 ଭାରତୀୟ, ପ୍ରସ୍ତୁତ ରହିଛି ବିମାନ ଓ ଜାହଜ
ପାକିସ୍ତାନ ପୋଲିସ କହିଛି ଯେ, ଆତ୍ମଘାତୀ ଆକ୍ରମଣ ନେଇ କୌଣସି ପ୍ରମାଣ ମିଳିନାହିଁ । ବିସ୍ଫୋରଣ ହୋଇଥିବା ସ୍ଥାନରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋଟକ ସାମଗ୍ରୀ ଗଚ୍ଛିତ ଥିଲା । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ବିସ୍ଫୋରଣ ହୋଇଥାଇପାରେ । ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଏହାର ତଦନ୍ତ କରାଯାଉଥିବା ପୋଲିସ କହିଛି । CTD ଅଧିକାରୀ ମଧ୍ୟ ଏହି ଘଟଣା ଆତଙ୍କବାଦୀ କାର୍ଯ୍ୟକଳାପ ଭଳି ମନେ ହେଉନଥିବା କହିଛନ୍ତି ।