ଇସଲାମବାଦ: ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଗ୍ନି ପରୀକ୍ଷା । ସୂତାଖିଅରେ ଝୁଲୁଛି ଇମ୍ରାନଙ୍କ ଭାଗ୍ୟ । ହାତରୁ ଖସିଯିବ କି କ୍ଷମତା ? ନା ପୁଣି ଥରେ ଶାସନ କରିବେ ଇମ୍ରାନ ସରକାର ? ଏନେଇ କିଛି ଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଆଜି ଅନ୍ତ ହେବ । ଇମ୍ରାନ ଖାନଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ(no trust motion) ଉପରେ ଆଜି ପାକିସ୍ତାନ ସଂସଦରରେ ଭୋଟିଂ ହେବ । ଏହାକୁ ଦୃଷ୍ଟିରେ ରଖି ଇସଲାମବାଦରେ ୧୪୪ ଧାରା ଲାଗୁ ହୋଇଛି । ଏଥିସହ ସଂସଦ ବାହାରେ ବିପୁଳ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।
ଇସଲାମବାଦର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ବାରା ଜାରି ଏକ ବିଜ୍ଞପ୍ତିରେ ରେଡ୍ ଜୋନରେ ୫ କିମ୍ବା ଅଧିକ ବ୍ୟକ୍ତିଙ୍କ ସମସ୍ତ ପ୍ରକାର ସମାବେଶ, ଶୋଭାଯାତ୍ରା ଏବଂ ପ୍ରଦର୍ଶନକୁ ନିଷେଦ୍ଧ କରାଯାଇଛି । ସୂଚନା ଅନୁଯାୟୀ, ଆଜି ଦିନ ସାଢେ ୧୧ଟାରେ ପାକିସ୍ତାନ ସଂସଦ ଅଧିବେଶନ ଆରମ୍ଭ ହେବ । ଏନେଇ ବିରୋଧି ନେତାମାନେ ସଂସଦରେ ପହଞ୍ଚିବା ଆରମ୍ଭ କରିଛନ୍ତି । ଇମ୍ରାନଙ୍କ ବିରୁଦ୍ଧରେ ଆନାସ୍ଥା ପ୍ରସ୍ତାବରେ ଭୋଟ ଦେବାରୁ ବିରୋଧିଙ୍କୁ କେହି ଅଟକାଇ ପାରିବେ ନାହିଁ ବୋଲି ବିରୋଧି ଦଳ ନେତା ଶେହବାଜ କହିଛନ୍ତି ।