ଇସଲାମବାଦ:ସ୍କୁଲ ଭିତରେ ବର୍ଷିଲା ଗୁଳି । ମାଟ୍ରିକ ପରୀକ୍ଷା ଚାଲୁଥିବା ବେଳେ ପାକିସ୍ତାନର ଗୋଟିଏ ସ୍କୁଲରେ ଆଖିବୁଜା ଗୁଳିମାଡ ହୋଇଛି । ଏଥିରେ ୭ ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ପାକିସ୍ତାନ ଖାଇବର ପାଖତୁନଖ୍ବା ସ୍ଥିତ ଗୋଟିଏ ସରକାରୀ ହାଇସ୍କୁଲରେ ଏହି ଗୁଳିକାଣ୍ଡ ଘଟିଛି । ଗୁଳିମାଡ ସମୟରେ ଶିକ୍ଷକମାନେ ପରୀକ୍ଷା ଡ୍ୟୁଟି କରୁଥିଲେ । ଏତିକି ବେଳେ କିଛି ଆତତାୟୀ ସ୍କୁଲ ଷ୍ଟାଫରୁମ୍ ଭିତରେ ପଶି ଅତର୍କିତ ଗୁଳିଚାଳନା କରିଥିଲେ । ଫଳରେ ଘଟଣାସ୍ଥଳରେ ୭ ଜଣ ଶିକ୍ଷକ ଆଖି ବୁଜିଥିବା ବେଳେ ସେହି ସ୍କୁଲର ଅନ୍ୟ ଜଣେ ଶିକ୍ଷକଙ୍କୁ ତାଙ୍କ କାର୍ ଭିତରେ ଗୁଳି କରାଯାଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ପାଖତୁନଖ୍ବା ଅପର କୁରମ ଅଞ୍ଚଳର ତାରି ମଙ୍ଗଲ ସରକାରୀ ହାଇସ୍କୁଲରେ ଗୁଳିକାଣ୍ଡ ଘଟିଛି । ଏପ୍ରିଲ ୨୮ରୁ ପାକିସ୍ତାନରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଶିକ୍ଷକମାନେ ପରୀକ୍ଷା ଡ୍ୟୁଟିରେ ଥିଲେ । ସେହି ସମୟରେ କିଛି ଅଜଣା ବନ୍ଧୁକଧାରୀ ଉକ୍ତ ସ୍କୁଲରେ ପହଞ୍ଚି ଆଖିବୁଜା ଗୁଳିମାଡ କରିଥିଲେ । ଏଥିରେ ଘଟଣାସ୍ଥଳରେ ୭ ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା । ସେହିପରି ମହମ୍ମଦ ଶରିଫ ନାମକ ଅନ୍ୟ ଜଣ ଶିକ୍ଷକ ନିଜ କାରରେ ଯାଉଥିବା ସମୟରେ ବାଟରେ ତାଙ୍କୁ ହତ୍ୟା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଗୁଳିକାଣ୍ଡର କାରଣ ଜଣାପଡି ନାହିଁ । ଏହି ଘଟଣା ପରେ ସ୍ଥାନୀୟ ପ୍ରଶାସନ ହସ୍ପିଟାଲ ଗୁଡିକରେ ଜରୁରୀ ପରିସ୍ଥିତି ଜାରି କରିଛି ।