ମସ୍କୋ:ଋଷରେ ଥମିଲା ବିଦ୍ରୋହ ।ପୁଟିନଙ୍କ ଆଗରେ ମୁଣ୍ଡ ନୁଆଁଇଲା ୱାଗନର ଗ୍ରୁପ । ମସ୍କୋ ଦଖଲ ପାଇଁ ଅଭିଯାନରେ ବାହାରିଥିବା ୱାଗନର ଗ୍ରୁପ ବିଦ୍ରୋହ ବନ୍ଦ କରିଛି । ସୈନ୍ୟଙ୍କୁ ନେଇ ପଛକୁ ହଟିଛନ୍ତି ପ୍ରିଗୋଝିନ । ଋଷ ସରକାର ଓ ବିଦ୍ରୋହୀ ସେନା ମଧ୍ୟରେ ସମାଧାନ ହୋଇଛି । ୟୁକ୍ରେନ ବିରୋଧରେ ଦୀର୍ଘ 16 ମାସ ହେବ ଯୁଦ୍ଧ ଚଳାଇଥିବା ଋଷର ଟେନସନ ଦୂର ହୋଇଛି । ୱାଗନର ଗ୍ରୁପର ବିଦ୍ରୋହ ଯୋଗୁଁ ଅକଳରେ ପଡିଥିବା ଋଷ ପରିସ୍ଥିତି ଗୁରୁତର ହେବାରୁ ବର୍ତ୍ତିଯାଇଛି । ବେଲାରୁଷ ରାଷ୍ଟ୍ରପତିଙ୍କ ମଧ୍ୟସ୍ଥତା ପରେ ବିଦ୍ରୋହୀ ୱାଗନର ଗ୍ରୁପ କ୍ୟାମ୍ପକୁ ପ୍ରତ୍ୟାବର୍ତ୍ତନ କରିଛି ।
ଋଷର ଘରୋଇ ସେନା ଗ୍ରୁପ ୱାଗନର ପୁଟିନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲା । ବିଦ୍ରୋହୀ ସେନା ପଶ୍ଚିମ ଋଷର କିଛି ସହର ସମେତ ଆର୍ମି କମାଣ୍ଡକୁ ନିୟନ୍ତ୍ରଣକୁ ନେଇଥିଲା । ଫଳରେ ଋଷ ପ୍ରତି ସଙ୍କଟ ଘନାଉଥିବା ବେଳେ ବେଲାରୁଷ ରାଷ୍ଟ୍ରପତିଙ୍କ ମଧ୍ୟସ୍ଥତା ପରେ ବିଦ୍ରୋହ ବନ୍ଦ ହୋଇଛି । ୱାଗନର ଗ୍ରୁପ ମସ୍କୋ ଦଖଲ ଅଭିଯାନ ବନ୍ଦ କରି କ୍ୟାମ୍ପକୁ ପ୍ରତ୍ୟାବର୍ତ୍ତନ କରିଛି । ସେପଟେ ବିଦ୍ରୋହ ବନ୍ଦ ହେବା ଯୋଗୁଁ ବିଦ୍ରୋହୀ ସୈନ୍ୟଙ୍କ ବିରୋଧରେ ଆଉ କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି କ୍ରେମଲିନ ପକ୍ଷରୁ କୁହାଯାଇଛି । ବେଲାରୁଷ ରାଷ୍ଟ୍ରପତି ଲୁକାଶେଙ୍କୋଙ୍କ ମଧ୍ୟସ୍ଥତାରେ ବୁଝାମଣା ପରେ ବିଦ୍ରୋହ ଆରମ୍ଭର 12 ଘଣ୍ଟା ମଧ୍ୟରେ ପଛକୁ ହଟିଛନ୍ତି ୱାଗନର ମୁଖ୍ୟ ପ୍ରିଗୋଝିନ ।
ନ୍ୟୁୟର୍କ ଟାଇମ୍ସ କ୍ରେମଲିନ ପ୍ରବକ୍ତା ଦିମିତ୍ରୀ ଏସ ପେସକୋବଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ''ୱାଗନର ମୁଖ୍ୟ ୟେଭେଗେନି ପ୍ରିଗୋଝିନ ବେଲାରୁଷ ଯିବେ । ବିଦ୍ରୋହୀ ସୈନ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଋଷ ସେନା ମନ୍ତ୍ରଣାଳୟ ସହ ଅନୁବନ୍ଧ ଉପରେ ଚୁକ୍ତାନାମ କରିପାରିବେ । ବିଦ୍ରୋହରେ ବିରାମ ଲଗାଇବା ପାଇଁ ବେଲାଋଷ ରାଷ୍ଟ୍ରପତି ପ୍ରିଗୋଝିନଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ବେଲାଋଷ ବୈଦେଶିକ ମନ୍ତ୍ରଣାଳୟ ।