ହାଇଦ୍ରାବାଦ: ଆଣ୍ଟାଲାଟିକ ମହାସାଗରରେ ବୁଡିଯାଇଥିବା ଟାଇଟାନିକ ଜାହାଜ ଦେଖିବାକୁ ପର୍ଯ୍ୟଟକଙ୍କୁ ନେଇ ସମୁଦ୍ରଗର୍ଭକୁ ଯାଇଥିବା ସବମେରାଇନକୁ ଏପର୍ଯ୍ୟନ୍ତ ଠାବ କରାଯାଇ ପାରିନାହିଁ । ଅନ୍ୟପଟେ ନିଖୋଜ ସବମେରାଇନରେ ଅକ୍ସିଜେନ ଶେଷ ହୋଇଥିବା ନେଇ ବିଶେଷଜ୍ଞଙ୍କ ସୂତ୍ରରୁ ସୂଚନା ମିଳିଛି । ଏପରିକି 5ଟି ଜୀବନ ବିପଦରେ ଥିବା ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟରେ ପ୍ରକାଶ ପାଇଛି । ରବିବାର ଠାରୁ ନିଖୋଜ ହୋଇଥିବା ଏହି ସବମେରାଇନର ଅକ୍ସିଜେନ କ୍ଷମତା ଅନୁସାରେ, ଆଜି (ଗୁରୁବାର) ପୂର୍ବାହ୍ନ ସୁଦ୍ଧା ସେଥିରେ ମାତ୍ର କିଛି ଘଣ୍ଟାର ଅକ୍ସିଜେନ ଗଚ୍ଛିତ ଥିବା ନେଇ ବିଶେଷଜ୍ଞ କହୁଛନ୍ତି । ଯାହା ଉଦ୍ଧାରକାରୀ ଦଳର ଚିନ୍ତା ବଢାଇଛି ।
ଏଥିରେ 5 ଜଣ ପର୍ଯ୍ୟଟକ ଯାତ୍ରା କରିଥିଲେ । ସେମାନଙ୍କୁ ଠାବ କରିବା ପାଇଁ ଆଣ୍ଟାଲାଚିକ ମହାସାଗରରେ ଏକ ଅନ୍ତର୍ଜାତୀୟ ସର୍ଚ୍ଚ ଅପରେସନ ଜାରି ରହିଛି । ଆମେରିକା ନୌସେନା ସହ ଅନ୍ୟ କିଛି ଦେଶର ଉଦ୍ଧାରକାରୀ ଟିମ ମଧ୍ୟ ସାମିଲ ହୋଇଛନ୍ତି । ସ୍କୁବାଡାଇଭରମାନେ ଏହା ନିରୁଦ୍ଦିଷ୍ଟ ହୋଇଥିବା ସ୍ଥାନରେ ସମୁଦ୍ରଗର୍ଭରେ ଖୋଜାଖୋଜି ଜାରି ରଖିଛନ୍ତି । ହେଲେ ଏହାକୁ ଏପର୍ଯ୍ୟନ୍ତ ଠାବ କରାଯାଇପାରି ନାହିଁ । ବିଶେଷଜ୍ଞଙ୍କ ଏହି ଆଶଙ୍କିତ ସୂଚନା ପରେ ଏହି ଅପରେସନକୁ ଆହୁରି କ୍ରିୟାଶୀଳ କରାଯାଉଛି । କାରଣ ଅକ୍ସିଜେନ ଶେଷ ହେବା ପରେ ସମସ୍ତ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ଏକ ପ୍ରକାର ନିଶ୍ଚିତ ।