କଲମ୍ବୋ:ଜାରି ରହିଥିବା ଆର୍ଥିକ ସଙ୍କଟ ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ଦ୍ବୀପରାଷ୍ଟ୍ର ଶ୍ରୀଲଙ୍କାରେ ଆଜି ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ରାନିଲ ବିକ୍ରମସିଙ୍ଘେ । ଆସନ୍ତାକାଲି (ଗୁରୁବାର) ଶପଥ ଗ୍ରହଣ କରିବେ । ପୂର୍ବତନ ରାଷ୍ଟ୍ରପତି ଗୋଟୋବାୟାଙ୍କ ବିଦେଶ ପଳାୟନ ପରେ କାମଚଳା ରାଷ୍ଟ୍ରପତି ଦାୟିତ୍ବରେ ଥିବା ବିକ୍ରମସିଙ୍ଘେ ଆଜି ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ତ୍ରିକୋଣୀୟ ପ୍ରତିଦ୍ବନ୍ଦିତାରେ ବିକ୍ରମସିଙ୍ଘେ ସର୍ବାଧିକ ୧୩୪ ଖଣ୍ଡ ଭୋଟ ସହ ବିଜୟ ହାସଲ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ପୂର୍ବାହ୍ନରେ, ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ । ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ସିଙ୍ଘେ ପ୍ରଧାନମନ୍ତ୍ରୀ ମଧ୍ୟ ଚୟନ କରିବେ । ସେ ନିଜେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପଦ ଖାଲି ପଡିଛି । ଗୋଟାବାୟା ରାଜପାକସେଙ୍କ ପଳାୟନ ପରେ ସେ କାମଚଳା ରାଷ୍ଟ୍ରପତି ଭାବେ ମଧ୍ୟ ଦାୟିତ୍ବ ସମ୍ଭାଳିଥିଲେ ।