ଲଣ୍ଡନ: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କର (Queen Elizabeth) ସ୍ବାସ୍ଥ୍ୟାବସ୍ଥା ଗୁରୁତର (Queen Elizabeth Doctors Concerned Over Health)। ମହାରାଣୀଙ୍କର ନିୟମିତ ଡାକ୍ତର ତାଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ଚିନ୍ତାପ୍ରକଟ କରିବା ତାଙ୍କୁ ମେଡିକାଲ ସୁପରଭିଜନରେ ରହିବାକୁ କହିଛନ୍ତି । ତେବେ ଏହି ଖବର ପ୍ରସାରିତ ହେବା ପରେ ସମଗ୍ର ଲଣ୍ଡନରେ ଉଦବେଗ ପ୍ରକାଶ ପାଇଛି । ନିକଟରେ ଦାୟିତ୍ବ ଗ୍ରହଣ କରିଥିବା ନୂତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ମହାରାଣୀଙ୍କ ସ୍ବାସ୍ଥ୍ୟ ସଙ୍କଟ ନେଇ ଚିନ୍ତା ପ୍ରକଟ କରିବା ସହ ଆଶୁଆରୋଗ୍ୟ କାମନା କରିଛନ୍ତି । ମହାରାଣୀ ଏଲିଜାବେଥ ଦ୍ବିତୀୟ ବର୍ତ୍ତମାନ 96 ବୟସରେ ପଦାର୍ପଣ କରିଛନ୍ତି । ଗତ କିଛି ମାସ ହେବ ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡିତ ମଧ୍ୟ ଅଛନ୍ତି ।
ଏହି ଅସୁସ୍ଥତା କାରଣରୁ ସେ (Queen Elizabeth) ରାଜଧାନୀ ଲଣ୍ଡନ ଛାଡି ସ୍କଟଲ୍ୟାଣ୍ଡରେ ରହୁଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ପରିବର୍ତ୍ତନ ହୋଇଥିଲେ ସୁଦ୍ଧା ସେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ରାଜଧାନୀ ଲଣ୍ଡନ ଆସି ନଥିଲେ । ଉଭୟ ବିଦାୟୀ ଓ ନୂତନ ପ୍ରଧାନମନ୍ତ୍ରୀ ସ୍କଟଲ୍ୟାଣ୍ଡ ଯାଇ ମହାରାଣୀଙ୍କୁ ଭେଟିଥିଲେ । ବୋରିଶ ଜନସନ ମହାରାଣୀଙ୍କୁ ବିଧିବଦ୍ଧ ଭାବେ ଇସ୍ତଫା ପତ୍ର ଦେବା ପରେ ସ୍କଟଲ୍ୟାଣ୍ଡରେ ହିଁ ନୂତନ ପ୍ରଧାନମନ୍ତ୍ରୀଙ୍କୁ ଲିଜ ଟ୍ରସଙ୍କୁ ନିଯୁକ୍ତ କରିବା ପାଇଁ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ତେବେ ପୂର୍ବରୁ ଅସୁସ୍ଥ ଥିବା ମହାରାଣୀ ଏଲିଜାବେଥଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ଆହୁରି ବିଗିଡି ଯାଇଥିବା ତାଙ୍କ ଡାକ୍ତର ସୂଚନା ଦେବା ପରେ ବ୍ରିଟେନବାସୀ ତାଙ୍କ ଆଶୁଆରୋଗ୍ୟ କାମନା କରି ପ୍ରାର୍ଥନା କରିଛନ୍ତି ।