ଲଣ୍ଡନ: ଦଶନ୍ଧି ଧରି ବ୍ରିଟେନର ବ୍ୟାଙ୍କ ନୋଟ୍ରେ (Britain Bank notes and coins) ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଫଟୋ ଚିତ୍ର ରହିଆସିଛି । ପ୍ରାୟ ୧୨ରୁ ଅଧିକ ଦେଶରେ ତାଙ୍କ ଫଟୋ ଥିବା ମୁଦ୍ରା (Queen Elizabeth II photo on currency) ପ୍ରଚଳିତ ହେଉଛି । ତେବେ ରାଣୀ ଏଲିଜାବେଥଙ୍କ ନିଧନ ପରେ ବ୍ୟାଙ୍କ ନୋଟରେ ସଂଶୋଧନକୁ ନେଇ ଚର୍ଚ୍ଚା ହେଉଛି । ରାଣୀଙ୍କ ଅବର୍ତ୍ତମାନରେ ତାଙ୍କ ଫଟୋ ଥିବା ନୋଟ୍ ଓ ମୁଦ୍ରା ଗୁଡ଼ିକ ଆଉ ବୈଧ ନୁହେଁ ବୋଲି ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି ।
ରାଣୀ ଏଲିଜାବେଥଙ୍କ ମୃତ୍ୟୁ ପରେ ବ୍ରିଟେନ, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଅନ୍ୟାନ୍ୟ ଦେଶ ସେମାନଙ୍କ ମୁଦ୍ରାକୁ ରୂପାନ୍ତରଣ କରିବାକୁ ସମୟ ନେବେ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏଲିଜାବେଥଙ୍କ ଚିତ୍ର ସହିତ ନୋଟ୍ ଏବଂ ମୁଦ୍ରା ଚଳିବ ନାହିଁ । ବର୍ତ୍ତମାନ ମୁଦ୍ରାରେ ରାଣୀଙ୍କ ବଦଳରେ କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ଚିତ୍ର ରହିବ । କିନ୍ତୁ ଏହା ତୁରନ୍ତ ସମ୍ଭବ ନୁହେଁ । ଏଣୁ ବ୍ୟାଙ୍କ ଅଫ୍ ଇଂଲଣ୍ଡ କହିଛି ଯେ ବର୍ତ୍ତମାନ ରାଣୀଙ୍କ ଚିତ୍ର ସହିତ ମୁଦ୍ରା ଆଇନଗତ ବୈଧ ରହିବ । ରାଣୀଙ୍କ ନିଧନ ପାଇଁ ତାଙ୍କ ସମ୍ମାନର୍ଥେ ୧୦ ଦିନିଆ ଜାତୀୟ ଶୋକ ପରେ ବ୍ରିଟେନର କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ଏହି ମୁଦ୍ରା ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ।
ବ୍ରିଟେନରେ ଆନୁଷ୍ଠାନିକ ଭାବରେ ମୁଦ୍ରା ଉତ୍ପାଦନ କରୁଥିବା ରୟାଲ୍ ମେଣ୍ଟ କହିଛି ଯେ, "ରାଣୀଙ୍କ ଚିତ୍ର ଥିବା ସମସ୍ତ ମୁଦ୍ରା ଆଇନଗତ ଭାବରେ ବୈଧ ରହିବ ।" ରୟାଲ ମେଣ୍ଟର ୱେବସାଇଟରେ ଏହା କୁହାଯାଇଛି ଯେ, ଏହି ଶୋକ ସମୟରେ ଆମେ ପୂର୍ବପରି ମୁଦ୍ରା ତିଆରି ଜାରି ରଖିବୁ । ବ୍ରିଟେନରେ ବର୍ତ୍ତମାନ ୪.୭ ବିଲିୟନ ନୋଟ୍ ଅଛି, ଯାହାର ମୂଲ୍ୟ ୯୫ ବିଲିୟନ ଡ଼ଲାର । ଏହା ବ୍ୟତୀତ ୨୯ ବିଲିୟନ ମୁଦ୍ରା କାରବାର ଏବଂ ବାଣିଜ୍ୟରେ ମଧ୍ୟ ବ୍ୟବହୃତ ହୁଏ । ଏହି ମୁଦ୍ରା ବା ନୋଟ ଗୁଡ଼ିକ ବହୁ ବର୍ଷ ଧରି ପ୍ରଚଳିତ ହେବ ବୋଲି ଆଶା କରାଯାଇଛି ।