ବେଜିଂ:ଚୀନରେ ବେକାବୁ କୋରୋନା । ପ୍ରତିଦିନ ଲକ୍ଷାଧି୍କ ନୂଆ ପଜିଟିଭ ମାମଲା ସାମ୍ନାକୁ ଆସୁଛି । ହଜାର ହଜାର ଲୋକଙ୍କ ମୃତ୍ୟୁ ମଧ୍ୟ ଘଟୁଛି । ଚୀନରେ ସାଂଘାତିକ ସ୍ଥିତି ନେଇ ସାରା ବିଶ୍ବ ଚିନ୍ତା ପ୍ରକଟ କରିଛି । ଏହାରି ମଧ୍ୟରେ ଚୀନରେ ଆଜିଠାରୁ ବିଦେଶୀ ଯାତ୍ରୀଙ୍କ ପାଇଁ କଟକଣା କୋହଳ କରିଛି । ଏଣିକି ବିଦେଶୀ ଯାତ୍ରୀଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପଡ଼ିବ ନାହିଁ । ଯାହା ଫଳରେ ସ୍ଥିତି ଆହୁରି ଗମ୍ଭୀର ହେବ ବୋଲି ଆଶଙ୍କା କରାଯାଉଛି । ଏଥିସହ ବିମାନ ଚଳାଚଳ ଏବଂ ବନ୍ଦର ଉପରୁ ସମ୍ପୂର୍ଣ୍ଣ କଟକଣା ହଟାଇ ଦିଆଯାଇଛି । ଚୀନରେ କୋରୋନା ମୃତ୍ୟୁର ତାଣ୍ଡବ ରଚୁଥିବାବେଳେ ସରକାରଙ୍କ ପକ୍ଷରୁ କଟକଣା ହଟାଇବା ନିଷ୍ପତ୍ତି ନିଆଯାଇଛି ।
ମାର୍ଚ୍ଚ 2020ରୁ ଚୀନରେ ବିଦେଶୀ ଯାତ୍ରୀଙ୍କ ପାଇଁ କ୍ବାରେଣ୍ଟାଇନ ବାଧ୍ୟତାମୂଳକ ରହିଥିଲା । ସମସ୍ତ ବିଦେଶୀ ଯାତ୍ରୀ ସେଣ୍ଟ୍ରାଲାଇଜଡ ଗଭରମେଣ୍ଟ ଫ୍ୟାସିଲିଟିରେ କ୍ବାରେଣ୍ଟାଇନରେ ରହୁଥିଲେ । ଗ୍ରୀଷ୍ମ ଋତୁରେ କ୍ବାରେଣ୍ଟାଇନ ଅବଧି 3 ସପ୍ତାହରୁ 5 ଦିନକୁ ହ୍ରାସ କରାଯାଇଥିଲା । ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି । ଏହା ପୂର୍ବରୁ ଅନ୍ୟ ଦେଶରୁ ଆସୁଥିବା ଯାତ୍ରୀଙ୍କୁ ପ୍ରଥମେ କ୍ବାରେଣ୍ଟାଇନରେ ରହିବାକୁ ପଡୁଥିଲା । କୋଭିଡ ନୀତିକୁ ବିରୋଧ କରି ଚୀନରେ ଲୋକଙ୍କ ଉତ୍ତେଜନା ପରେ ଜିରୋ କୋଭିଡ ପଲିସିକୁ ରଦ୍ଦ କରାଯାଇଥିଲା । ସେବେଠାରୁ ଦେଶରେ ଦୈନିକ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।
ଏହା ମଧ୍ୟ ପଢ଼ନ୍ତୁ:ଶିକ୍ଷୟତ୍ରୀଙ୍କ ଉପରକୁ ଗୁଳିମାଡ କଲା 6 ବର୍ଷର ବାଳକ, ହେପାଜତକୁ ନେଲା ପୋଲିସ