ଇସଲାମବାଦ: ତୋଷାଖାନା ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି । ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ପୋଲିସ ଗତକାଲି ରାତିରୁ ତାଙ୍କର ଲାହୋର ଜମାନ ପାର୍କ ସ୍ଥିତ ବାସଭବନରେ ପହଞ୍ଚିଥିଲା । ଏହାକୁ ନେଇ ପିଟିଆଇ ନେତାଙ୍କ ବାସଭବନ ବାହାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଗିରଫ କରିବାକୁ ଆସିଥିବା ପୋଲିସ ଓ ପିଟିଆଇ କର୍ମୀ ମୁହାଁମୁହିଁ ହୋଇଛନ୍ତି । ଗିରଫଦାରୀ ରୋକିବାକୁ ଇମ୍ରାନଙ୍କ ସମର୍ଥକମାନେ ପୋଲିସକୁ ପଥରମାଡ କରିଛନ୍ତି । ଏହାର ଜବାବରେ ପୋଲିସ ପାଣି ସ୍ପ୍ରେ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି । ଦୀର୍ଘ ୧୧ ଘଣ୍ଟାରୁ ଅଧିକ ସମୟ ଧରି ପୋଲିସ ଓ ପିଟିଆଇ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି ।
ଏଭଳି ଉତ୍ତେଜନା ଲାଗି ରହିଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ସେ କହିଛନ୍ତି, ''ପୋଲିସ ମତେ ଗିରଫ କରିବାକୁ ଆସିଛି । ଯଦି ମୋତେ ଜେଲ୍ ହୁଏ ଅଥବା ହତ୍ୟା କରାଯାଏ ତାହାହେଲେ ମଧ୍ୟ ତୁମମାନଙ୍କୁ ଲଢେଇ ଜାରି ରଖିବାକୁ ହେବ । ସେମାନେ ଭାବୁଛନ୍ତି ଇମ୍ରାନ ଖାନ ଜେଲ୍ ଚାଲିଗଲେ ଲୋକମାନେ ଶୋଇପଡିବେ । ତୁମମାନଙ୍କୁ ଏହାକୁ ଭୁଲ୍ ପ୍ରମାଣିତ କରିବାକୁ ହେବ । ନିଜର ଅଧିକାର ପାଇଁ ଲଢେଇ ଲଢିବାକୁ ହେବ ।