ନୂଆଦିଲ୍ଲୀ:ଦୀର୍ଘଦିନ ଧରି ଯୁଦ୍ଧ ପରେ ଶେଷରେ ୟୁକ୍ରେନ୍ର ବନ୍ଦର ସହର ମାରିୟୁପୋଲକୁ ନିଜ ଦଖଲକୁ ନେଇଛି ରୁଷ । ଋଷ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଏହି ଯୁଦ୍ଧର ୫୮ ଦିନରେ ୟୁକ୍ରେନ ବନ୍ଦର ନଗରୀ ମାରିୟୁପୋଲ ନିଜ ଦଖଲରେ ନେବାକୁ ସମର୍ଥ ହୋଇଛି ଋଷୀୟ ସେନା । ଆଜି(ଗୁରୁବାର) ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏହି ଘୋଷଣା କରିଛନ୍ତି ।
ସେହିପରି ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ କହିଛି ଯେ, ଋଷ ସେନା ମାରିଓପୁଲକୁ ଦଖଲ କରିବା ସହ ପ୍ରାୟ ୨ ହଜାରରୁ ଅଧିକ ୟୁକ୍ରେନ ସୈନ୍ୟଙ୍କୁ ଏକ ବାଣିଜିକ ପ୍ରତିଷ୍ଠାନ ଭିତରେ ବନ୍ଦୀ କରି ରଖିଛୁ । ଏଥିସହ ୟୁକ୍ରେନର ଦକ୍ଷିଣରେ ଅବସ୍ଥିତ ଥିବା ଏହି ବନ୍ଦର ସହରକୁ ଦଖଲକୁ ନେବା ଆମ ପାଇଁ ବଡ ସଫଳତା ବୋଲି ପୁଟିନ୍ ଓ ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ସୋଏଗୁ ଏକ ଟେଲିଭିଜନ ବୈଠକରେ କହିଛନ୍ତି । ଏହି ମହାଯୁଦ୍ଧର ଦୁଇ ମାସ ପୂରଣ ହେବାକୁ ଥିବା ବେଳେ ସେନା ମାରିଓପୁଲ ଦଖଲ କରିବା ପରେ ଡୋନବାସ ଅଞ୍ଚଳ ଉପରେ ମଧ୍ୟ ନିୟନ୍ତ୍ରଣ କରାଯିବ ବୋଲି ଋଷ ଯୋଜନା କରୁଛି ।
ସେହିଭଳି ଡୋନବାସ ଅଞ୍ଚଳ ଦଖଲ ହୋଇଥିବରୁ ଏହାର କ୍ରିମିଆର ଭୂମି ସହ ଯୋଡି ହେବାକୁ ସହଜ ବୋଲି ଋଷ ପକ୍ଷରୁ କୁହାଯାଇଛି । ଏପଟେ ଏହି ସହରକୁ ଦୁଇ ମାସ ଘେରି ରହିବା ପରେ ସେନା ଏହାକୁ ଦଖଲ କରିଥିବା ବେଳେ ଦଖଲ କରିବା ଲାଗି ଋଷକୁ ଘାତକ ବିବାଦର ସମ୍ମୁଖୀନ ହେବାକୁ ପଡିଥିଲା । ଏହା ପରେ ପୁଟିନ୍ ସୋଏଗୁଙ୍କୁ ଆଜୋଭଷ୍ଟାଲ ଇସ୍ପାତ କାର୍ଯ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହ ଏହା ଦ୍ବାରା ଋଷର ସୈନ୍ୟଙ୍କ ଜୀବନ ରକ୍ଷା କରି ହେବ ବୋଲି ସେ କହିଥିଲେ ।