ହାଇଦ୍ରାବାଦ:ୟୁକ୍ରେନକୁ ପ୍ରଚଣ୍ଡ ଆକ୍ରମଣ କରି ସମଗ୍ର ବିଶ୍ବକୁ ଚକିତ କରିଥିବା ଋଷରେ ଏବେ ସାମରିକ ବିଦ୍ରୋହର ପଦଧ୍ବନୀ । ଋଷ ରାଷ୍ଟ୍ରପତିଙ୍କ ସମର୍ଥିତ ଏକ ଘରୋଇ ସେନା (ମିଲିସିଆ ଗୋଷ୍ଠୀ) ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ସାମରିକ ବିଦ୍ରୋହ ଆରମ୍ଭ କରିଛି । ପଶ୍ଚିମ ଋଷର କିଛି ସହର ସମେତ ଆର୍ମି କମାଣ୍ଡକୁ ନିୟନ୍ତ୍ରଣକୁ ନେଇ ସାରିଥିବା ଦାବି କରିଛି ଋଷର ଘରୋଇ ସେନା ‘ୱାଗନର୍ ଗ୍ରୁପ’ । ଏହାର ମୁଖ୍ୟ କମାଣ୍ଡର ୟେଭେଗେନି ପ୍ରିଗୋଜିନ୍ସ ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସିଦ୍ଧା ଚ୍ୟାଲେଞ୍ଜ କରିବା ସହ ଯୁଦ୍ଧ ଡାକରା ଦେଇଛନ୍ତି । ଏପରି ସ୍ଥିତିରେ ଋଷର ରାଜଧାନୀ ମସ୍କୋର କ୍ରେମଲିନରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।
ସମଗ୍ର ଋଷରେ ହାଇଆଲର୍ଟ ଜାରି ହେବା ସହ ରାଷ୍ଟ୍ରପତି ପୁଟିନ ଏହାକୁ ସିଧା ସଳଖ ଦେଶଦ୍ରୋହ ବୋଲି କହିଛନ୍ତି । ଏହା ପିଠି ପଛରେ ଆକ୍ରମଣ ବୋଲି ପୁଟିନ କହିବା ସହ ଏହାକୁ କଡା ଜବାବ ଦିଆଯିବା ନେଇ ଚେତାବନୀ ଦେଇଛନ୍ତି । ଋଷ ସେନା ବିଦ୍ରୋହୀ ‘ୱାଗନର୍ ଗ୍ରୁପ’ ବିରୋଧରେ ଏକ ସ୍ବତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ମଧ୍ୟ ଶେଷ କରିସାରିଲାଣି । ଏହାରି ମଧ୍ୟରେ ସମଗ୍ର ବିଶ୍ବର ନଜର ଋଷର ଏହି ସାମରିକ ବିଦ୍ରୋହ ଉପରେ ରହିଛି ।
କୌଣସି ସମୟରେ ଋଷର ଯେକୌଣସି ସହରରୁ ବଡ ଆକ୍ରମଣର ସୂଚନା ଆସିପାରେ । ସୋସିଆଲ ମିଡିଆରେ ଏହାର ଏକାଧିକ ଭିଡିଓ ଘୁରି ବୁଲୁଛି । ଋଷ ରାଜରାସ୍ତାରେ ଟ୍ୟାଙ୍କ ଓ ଫୋର୍ସ ବୁଲୁଛନ୍ତି । ତେବେ ଏହାକୁ ନେଇ ଋଷକୁ ଟାର୍ଗେଟ କରିଛି ୟୁକ୍ରେନ । ଫ୍ରାନ୍ସ, ପୋଲାଣ୍ଡ, ଆମେରିକା ପରି ଦେଶ ଏବେ ଋଷର ଏହି ସାମରିକ ବିଦ୍ରୋହର ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।