ଲଣ୍ଡନ:ବ୍ରିଟେନ ରାଜଧାନୀ ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ(President Murmu arrives in London) । ଶନିବାର ରାତିରେ ରାଷ୍ଟ୍ରପତି ଲଣ୍ଡନର ଗଟୱିକ ବିମାନ ବନ୍ଦରରେ ଅବତରଣ କରିଛନ୍ତି । ସେଠାରେ ତାଙ୍କୁ ବ୍ରିଟେନରେ ଭାରତର ହାଇକମିଶନର ଭାବେ ନିଯୁକ୍ତ ବିକ୍ରମ କେ ଦୋରାଇସ୍ବାମୀ ସ୍ବାଗତ କରିଛନ୍ତି । ୱେଷ୍ଟମିନଷ୍ଟର ଆବେ(Westminster Abbey) ଠାରେ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହେବା ପାଇଁ ରାଷ୍ଟ୍ରପତି ଲଣ୍ଡନ ଯାଇଛନ୍ତି । ଭାରତ ପକ୍ଷରୁ ସେ ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ପତ୍ନୀ ମଧ୍ୟ ମହାରାଣୀଙ୍କ ଶେଷକୃତ୍ୟରେ ଯୋଗ ଦେବେ ।
ରାଷ୍ଟ୍ରପତି ମୁର୍ମୁଙ୍କ ସହ ବୈଦେଶିକ ସଚିବ ସଚିବ ବିନୟ କ୍ବାତ୍ରା ମଧ୍ୟ ଲଣ୍ଡନ ଯାଇଛନ୍ତି । ଆସନ୍ତା ୧୯ ତାରିଖ ଯାଏଁ ସେମାନେ ବ୍ରିଟେନରେ ରହିବେ । ୧୯ ତାରିଖ ଅର୍ଥାତ ସୋମବାର ଦିନ ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ମହାରାଣୀଙ୍କର ମରଶରୀରକୁ ବ୍ରିଟେନ ବ୍ୟାପୀ ପରିକ୍ରମା କରାଯିବା ପରେ ରାଜଧାନୀ ଲଣ୍ଡନରେ ଶେଷକୃତ୍ୟ କରାଯିବ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବ୍ରିଟିଶ ଓ କିଛି ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଏହି କାର୍ଯ୍ୟକ୍ରମରେ ବିଶ୍ବବ୍ୟାପୀ ପ୍ରାୟ ୫୦୦ ଅତିଥି ଓ ପ୍ରାୟ ୭ ଲକ୍ଷରୁ ଅଧିକ ସାଧାରଣ ଜନତା ଉପସ୍ଥିତ ରହିବେ । ଅନେକ ରାଷ୍ଟ୍ରମୁଖ୍ୟ, ରାଷ୍ଟ୍ର ପ୍ରତିନିଧିଙ୍କ ସମେତ ବିଶ୍ବବ୍ୟାପୀ ପ୍ରାୟ ୫୦୦ ବିଶିଷ୍ଟ ବ୍ୟକ୍ତିବିଶେଷ ଏଥିରେ ଯୋଗ ଦେଉଛନ୍ତି । ଆବଶ୍ୟକୀୟ ପ୍ରସ୍ତୁତି ଓ ବିଶ୍ବବ୍ୟାପୀ ଅତିଥିଙ୍କର ସୁରକ୍ଷା ଲାଗି ମଧ୍ୟ ୭ ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରିବ ବ୍ରିଟିଶ ପ୍ରଶାସନ ।