ବେଜିଂ:ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଚୀନ । ଗତକାଲି(ସୋମବାର) ବିଳମ୍ବିତ ରାତିରେ ଚୀନର ଗାଂସୁ ପ୍ରଦେଶରେ ବଡ ଧରଣର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି । ଏହି ଭୟଙ୍କର ଭୂକମ୍ପରେ ଏବେ ସୁଦ୍ଧା ୧୧୧ ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ରହିଛି । ବିଭିନ୍ନ ସ୍ଥାନରେ କୋଠା ଭୁଶୁଡି ଯିବାରୁ ପାଖାପାଖି ୨୦୦ ଜଣ ଆହତ ହୋଇଛନ୍ତି । ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତରେ ରେସ୍କ୍ୟୁ ଅପରେସନ ଜାରି ରହିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ତେବେ ଆଗକୁ ଭୂକମ୍ପ ଜନିତ ମୃତାହତ ସଂଖ୍ୟା ବଢିବାର ଆଶଙ୍କା ରହିଛି ।
ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତି ୧୧ଟା ୫୯ ମିନିଟ୍ ସମୟରେ ଉତ୍ତର ପଶ୍ଚିମ ଚୀନର ଗାଂସୁରେ ଭୂକମ୍ପ ସଂଗଠିତ ହୋଇଛି । କିଙ୍ଘାଇଠାରୁ ୫ କିଲୋମିଟର ଦୂର ଗାଂସୁ ପ୍ରଦେଶର ଜିଶିସାନରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ର ୧୦ କିଲୋମିଟର ଗଭୀରରେ ରେକର୍ଡ କରାଯାଇଛି । ତେବେ ଭୂକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ, ଗାଂସୁରେ ବ୍ୟାପକ ଧନୀଜୀବନ କ୍ଷୟକ୍ଷତି ହୋଇଛି । ବଡ଼ବଡ଼ ଅଟ୍ଟାଳିକା ମାଟିରେ ମିଶିଯାଇଛି । ଏଥିରେ ୧୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଂସୁରେ ୯୬ ଏବଂ କିଙ୍ଘାଇରେ ୧୨୪ ଜଣ ଲୋକ ଆହତ ହୋଇଛନ୍ତି । ଆମେରିକା ଭୂବିଜ୍ଞାନ ସର୍ବେକ୍ଷଣ ସଂସ୍ଥା(USGS) ଏହି ଭୂମିକମ୍ପର ତୀବ୍ରତା ୫.୯ ହୋଇଥିବା କହିଛି ।