ନୂଆଦିଲ୍ଲୀ:ଜୁନ 20 ତାରିଖ ଅର୍ଥାତ ଗତକାଲିଠୁ (ମଙ୍ଗଳବାର) ଆମେରିକା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୁନ 23 ଯାଏଁ ପ୍ରଧାନମନ୍ତ୍ରୀ ଆମେରିକାରେ ରହିବେ । ଗସ୍ତ ପରେ ପ୍ରଧାନମନ୍ତ୍ରୀ ଆମେରିକୀୟ ସମ୍ବାଦପତ୍ର ୱାଲ ଷ୍ଟ୍ରିଟ ଜର୍ଣ୍ଣାଲକୁ ଦେଇଥିବା ଏକ ସାକ୍ଷାତକାରରେ ବିଶ୍ବ ରାଜନୀତି ଠାରୁ ଅର୍ଥନୀତି ଓ ଭାରତ ସ୍ଥିତି ଓ ଆମେରିକା ସହ ଭାରତର ସମ୍ପର୍କକୁ ନେଇ ଆଲୋକପାତ କରିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ଭାରତର ଭୂମିକା ନିର୍ବାହ କରିବା ସମୟ ଆସିଛି । ବର୍ତ୍ତମାନ ବିଶ୍ବରେ ଭାରତ ଏକ ଉପଯୁକ୍ତ ସ୍ଥାନ ହାସଲ କରିଛି ବୋଲି ସାକ୍ଷାତକାରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କହିଛନ୍ତି,''ଭାରତ ବିବିଧତାର ଉତ୍ସବ ପାଳନ କରୁଛି । ସମସ୍ତ ଧର୍ମର ଲୋକଙ୍କୁ ଏକାଠି କରି ପ୍ରଗତି ପଥରେ ଆଗେଇ ଚାଲିଛି । ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ମଜବୁତ ଓ ନିବିଡ ହୋଇଛି । ଦୁଇ ଦେଶର ନେତାଙ୍କ ମଧ୍ୟରେ ଅଦ୍ଭୂତପୂର୍ବ ବିଶ୍ବାସ ରହିଛି । ଏହା ବିକାଶଶୀଳ ଦେଶମାନଙ୍କର ଆଶା ଓ ଭରସାର ସ୍ବର ହେବ । ବିଶ୍ବ ରାଜନୀତିରେ ଅସ୍ଥିରତା ଲାଗି ଭାରତ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଛି । ଦୁଇଦେଶ ମଧ୍ୟରେ ଏପରି ନିବିଡତା ପ୍ରତିରକ୍ଷା କ୍ଷେତ୍ରରେ ପରସ୍ପରର ସହଯୋଗ ପାଇଁ ସମ୍ଭବ ହୋଇଛି । ଏହି ସହଯୋଗିତା ବାଣିଜ୍ୟ, ବୈଷୟିକ ଜ୍ଞାନ କୌଶଳ ଓ ଜ୍ଞାନକୁ ପ୍ରସାରିତ କରିଛି ।''
ଜାତିସଂଘ ସୁରକ୍ଷା ପରିଷଦ ସଦସ୍ୟତା:ସେହିପରି ସାକ୍ଷାତକାରରେ ଜାତିସଂଘ ସୁରକ୍ଷା ପରିଷଦର ସମ୍ପ୍ରସାରଣ ସମ୍ପର୍କରେ ମୋଦି କହିଛନ୍ତି, ବିଶ୍ବ ସମୁଦାୟଙ୍କୁ ପ୍ରଶ୍ନ କରାଯିବା ଦରକାର ଯେ ଭାରତକୁ ଏହି ପରିଷଦରେ ସାମିଲ କରାଯିବା ଉଚିତ କି ନାହିଁ । ଏହା ସହିତ ପରିଷଦରେ ଥିବା ବର୍ତ୍ତମାନର ସଦସ୍ୟଙ୍କ କାର୍ଯ୍ୟକୁ ସମୀକ୍ଷା କରାଯିବ ଦରକାର । ଭାରତ ଯାହା କରିପାରିବ ତାହା କରିବ । ବିବାଦର ଅନ୍ତ ଘଟାଇବା ଏବଂ ଶାନ୍ତି ସ୍ଥିରତା ସୁନିଶ୍ଚିନ୍ତ କରିବାକୁ ଯାହା ଦରକାର ଭାରତ ତାହା କରିବ ।