ୱାଶିଂଟନ: ତିନିଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୱାଶିଂଟନ ଡିସି ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ବାଇଡେନଙ୍କ ପତ୍ନୀ ତଥା ପ୍ରଥମ ମହିଳା ଜିଲ ବାଇଡେନଙ୍କୁ ଭେଟିଛନ୍ତି । ଆଜି ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ଏକ ଭବ୍ୟ ରାଜକୀୟ ରାତ୍ରିଭୋଜନର ଆୟୋଜନ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି । ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ତଥା ପ୍ରଥମ ମହିଳା ଜିଲ ବାଇଡେନଙ୍କୁ ଭେଟି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଗସ୍ତ ଭାରତ ଓ ଆମେରିକାର ସମ୍ପର୍କ ବନ୍ଧୁତ୍ବ ଓ ସମାବେଶୀ ବୈଶ୍ବିକ ବିକାଶ ପାଇଁ ମହତ୍ତ୍ବପୂର୍ଣ୍ଣ ପ୍ରମାଣିତ ହେବ ।
ଏହା ବି ପଢନ୍ତୁ...ଗିନିଜ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧୀନ ଯୋଗ ସେସନ
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରଥମ ମହିଳା ଜିଲ ବାଇଡେନ ବର୍ଜିନିୟାରେ ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଆମେ ନ୍ୟାସନାଲ ଏଜୁକେସନ ପଲିସରେ ଶିକ୍ଷା ଏବଂ ଦକ୍ଷତାକୁ ଏକାଠି କରିଛୁ । ସେଥିରେ 10,000 ଅଟଳ ଟିଙ୍କରିଙ୍ଗ ଲ୍ୟାବ ପ୍ରତିଷ୍ଠା କରିଛୁ ଯେଉଁଥିରେ ପିଲାଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା ମିଳିପାରିବ । ଯୁବା ଏଣ୍ଟରପ୍ରିନ୍ୟୁୟରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଷ୍ଟାର୍ଟଅପ୍ ଇଣ୍ଡିଆ ମିଶନ ଆରମ୍ଭ କରିଛୁ । ଆମର ଲକ୍ଷ୍ୟ ହେଉଛି ଏହ ଦଶନ୍ଧିକୁ ଟେକ୍ନିକ୍ ଦଶନ୍ଧି କରି ତୋଳିବା । ଦୁନିଆରେ ଥିବା ବୈଜ୍ଞାନିକ ଓ ଏଣ୍ଟରପ୍ରିନ୍ୟୁୟରଙ୍କର ଭାରତର ସଂସ୍ଥାନଙ୍କ ସହ ସମ୍ପର୍କ ବଢାଇବାକୁ 2015ରେ GIAN ବା ଗ୍ଲୋବାଲ ଇନିସିଏଟିଭ ଅଫ୍ ଏକାଡେମିକ ନେଟୱାର୍କ ଆରମ୍ଭ କରିଥିଲୁ । ଏହା ଜରିଆରେ ଆମେରିକାରୁ 750 ଅଧ୍ୟାପକ ସଦସ୍ୟ ଭାରତ ଆସିଛନ୍ତି ।"