ଖାର୍ତ୍ତୋମ:ଅଶାନ୍ତ ମଧ୍ୟ ଆଫ୍ରିକୀୟ ଦେଶ ସୁଦାନ । ଦେଶର ସେନା ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ କ୍ରମାଗତ ଭାବେ ଜାରି ରହିଛି ଘମାସାନ ଲଢେଇ । ରାଜଧାନୀ ଖାର୍ତ୍ତୋମରେ ସଂଘର୍ଷ ଜାରି ରହିଥିବା ବେଳେ ଭୟଙ୍କର ଏୟାରଷ୍ଟ୍ରାଇକ ଯୋଗୁଁ 22 ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ, ଶନିବାର ରାଜଧାନୀ ଖାର୍ତ୍ତୋମ ନିକଟସ୍ଥ ସହର ଓମଡୁରାମନରେ ଏୟାରଷ୍ଟ୍ରାଇକ ହୋଇଛି । ଏକାଧିକ ଲୋକ ଏଥିରେ ଆହତ ହୋଇଥିବା ବେଳେ 22 ଜଣଙ୍କର ମୃତ୍ୟୁ ହୋଇଛି । ଦେଶର ସେନା (SAF) ଓ ଅର୍ଦ୍ଧ ସାମରିକ ବାହିନୀ (RSF) ମଧ୍ୟରେ ଚାଲିଥିବା ସଂଗର୍ଷ ଯୋଗୁଁ ଏହା ଘଟିଛି । ଗତ ମାସରେ ଖାର୍ତ୍ତୋମରେ ଏୟାରଷ୍ଟ୍ରାଇକ ଯୋଗୁଁ 17 ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରେ 5 ଜଣ ଶିଶୁ ରହିଥିଲେ । ଅନ୍ୟପଟେ ଅର୍ଦ୍ଧ ସାମରିକ ବାହିନୀ ଏହି ଆକ୍ରମଣ ପାଇଁ ସୁଦାନ ସେନାକୁ ଦାୟୀ କରିଛି । ସୁଦାନ ସେନା ଓମଡୁରାମନରେ ଏୟାରଷ୍ଟ୍ରାଇକ କରିଛି । ଯେଉଁଥିପାଇଁ 31 ଜଣଙ୍କର ମୃତ୍ୟୁ ହୋଇଥିବା ଦାବି କରିଛି ରାପିଡ୍ ସପୋର୍ଟ ଫୋର୍ସ ।
ଏହା ମଧ୍ୟ ପଢନ୍ତୁ-Sudan Fighting: ଅଶାନ୍ତ ସୁଦାନଙ୍କୁ ଫେରିବ ଶାନ୍ତି, ୭ଦିନ ଯୁଦ୍ଧ ବିରତି ନେଇ ସହମତି