ଇସଲମାବାଦ:ପାକିସ୍ତାନରେ ଏକ ଘୃଣ୍ୟ ଅପରାଧର ଖବର ମିଳୁଛି । ବିଭିନ୍ନ ସ୍ଥାନରେ ଯୁବତୀ କିମ୍ବା ମହିଳାଙ୍କ ମୃତ୍ୟୁ ପରେ ମୃତଦେହ କବର ଦେବା ପରେ କବର ଉପରେ ଲୁହାଗ୍ରୀଲ ଲଗାଉଛନ୍ତି ପରିବାର ସଦସ୍ୟ । ତା’ର କାରଣ ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ କମ ଓ ଘୃଣା ଅଧିକ ଲାଗିବ । କାରଣ କବରରୁ ଖୋଳି ମୃତଦେହ ବାହାରକୁ ବାହାର କରି ମୃତଦେହ ସହ ମଧ୍ୟ ଦୁଷ୍କର୍ମ ହେବାର ଆଶଙ୍କା । ପାକିସ୍ତାନରେ କିଛି ସ୍ଥାନରେ ଏପରି କିଛି ଘୃଣ୍ୟ ଘଟଣା ସାମ୍ନାକୁ ଆସିବା ପରେ ପରିବାର ସଦସ୍ୟ କବର ଦେବା ପରେ ତାର ସୁରକ୍ଷା ନେଇ ଏବେ ଚିନ୍ତାରେ ବୋଲି ସୂତ୍ରରୁ ସୂଚନା ମିଳିଛି ।
ଏକ ଅନ୍ତର୍ଜାତୀୟ ସଂସ୍ଥାର ରିପୋର୍ଟ ଅନୁସାରେ, ପାକିସ୍ତାନରେ ପ୍ରତି ଦୁଇ ଘଣ୍ଟାରେ ଜଣେ ମହିଳା ଦୁଷ୍କର୍ମରେ ଶିକାର ହେଉଛନ୍ତି । ଯୌନ ଶୋଷଣ ମଧ୍ୟ ବଢିବାରେ ଲାଗିଛି । ଏବେ ଅନେକ ସ୍ଥାନରେ ମୃତଦେହ ସହ ଦୁଷ୍କର୍ମ ଖବର ମଧ୍ୟ ସାମ୍ନାକୁ ଆସିଛି । ଫଳରେ ମୃୃତ୍ୟୁ ପରେ ମଧ୍ୟ ମହିଳା କିମ୍ବା ଯୁବତୀଙ୍କ ମୃତଦେହକୁ ସୁରକ୍ଷିତ କବର ଦେବା ପରିବାରର ପ୍ରାଥମିକ ଦାୟିତ୍ବ ପରି ହେବାକୁ ବସିଲଣି । କିଛି ସ୍ଥାନରେ କବର ଉପରେ ଲୁହା ଗ୍ରୀଲ ଲଗାଯାଉଛି । ଯେପରି କେହି ଦୁର୍ବୃତ୍ତ ଏହାକୁ ଭାଙ୍ଗି କବରକୁ ଖୋଳି ମୃତଦେହ ବାହାରକୁ ବାହାର କରିପାରିବ ନାହିଁ ।