ହାଇଦ୍ରାବାଦ:ଇସ୍ରାଏଲ ସେନାର ଅପରେସନରେ ଗାଜାରେ ମୃତ୍ୟୁସଂଖ୍ୟା 13 ହଜାରରୁ ଅଧିକ ଟପିଛି । ମୃତକଙ୍କ ମଧ୍ୟରେ ଶିଶୁଙ୍କ ସଂଖ୍ୟା ପ୍ରାୟ ସାଢେ 5 ହଜାର ଓ ମହିଳାଙ୍କ ସଂଖ୍ୟା ସାଢେ 3 ହଜାର ଥିବା ଗାଜାର ସରକାରୀ ମିଡିଆ ଦାବି କରିଛି । ଅକ୍ଟୋବର 7 ତାରିଖରୁ ଇସ୍ରାଏଲ ଜାରି ରଖିଥିବା ଏହି ସାମରିକ ଅଭିଯାନରେ ଏବେ ସୁଦ୍ଧା ପ୍ରାୟ 30 ହଜାର ସାଧାରଣ ପାଲେଷ୍ଟାନୀୟ ଗୁରୁତର ହୋଇ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
ସେହିପରି ଗାଜା ପକ୍ଷରୁ କରାଯାଇଥିବା ଦାବି ଅନୁସାରେ, ଏବେ ସୁଦ୍ଧା 6 ହଜାରରୁ ଅଧିକ ସାଧାରଣ ଲୋକ ନିଖୋଜ ରହିଛନ୍ତି । ସେମାନଙ୍କ ମଧ୍ୟରେ 4 ହଜାର ଶିଶୁ ଓ ମହିଳାଙ୍କର ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନି । ଗାଜା ସିଟିରେ ଶହ ଶହ ସଂଖ୍ୟାରେ ଅଟ୍ଟାଳିକା ଇସ୍ରାଏଲ ଏୟାର ଷ୍ଟ୍ରାଇକରେ କ୍ଷତିଗ୍ରସ୍ତ ହୋଇଛି । ଭଗ୍ନାବଶେଷ ତଳେ ମଧ୍ୟ କିଛି ମୃତଦେହ ରହିଥିବାର ଆଶଙ୍କା କରାଯାଉଛି । ଦକ୍ଷିଣ ଗାଜାରେ ଶରଣାର୍ଥୀଙ୍କ ପାଇଁ ଖୋଲା ଯାଇଥିବା ରିଲିଫ କ୍ୟାମ୍ପରେ ମଧ୍ୟ ଇସ୍ରାଏଲ ସେନା ଆକ୍ରମଣ କରୁଥିବା ଅଭିଯୋଗ କରିଛି ଗାଜା ।
ଅକ୍ଟୋବର 7 ତାରିଖରେ ଗାଜାରୁ ଅପରେଟ ହେଉଥିବା ଆତଙ୍କୀ ଗୋଷ୍ଠୀ ‘ହମାସ’ ଇସ୍ରାଏଲ ଉପରେ ପ୍ରଥମେ ରକେଟ ଆକ୍ରମଣ କରିଥିଲା । ମାତ୍ର ଅଧଘଣ୍ଟା ମଧ୍ୟରେ ପ୍ରାୟ 5 ହଜାରରୁ ଅଧିକ ରକେଟ ମାଡ କରି ଇସ୍ରାଏଲର ବ୍ୟାପକ କ୍ଷତି ଘଟାଇଥିଲା ‘ହମାସ’। ଏହି ଆକ୍ରମଣରେ ପ୍ରାୟ 14 ଶହ ସାଧାରଣ ଇସ୍ରାଏଲ ନାଗରିକଙ୍କ ପ୍ରାଣହାନୀ ହୋଇଥିଲା । ପ୍ରାୟ 200 ରୁ ଅଧିକ ସାଧାରଣ ନାଗରିକଙ୍କୁ ‘ହମାସ’ ଆତଙ୍କୀମାନେ ଅପହରଣ କରି ନେଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଅଳ୍ପ କିଛି ମୁକ୍ତ ହୋଇଥିବା ବେଳେ ଏବେ ମଧ୍ୟ ଅନେକଙ୍କ ସମ୍ପର୍କରେ କୌଣସି ପତ୍ତା ମିଳନି ।