ଇସଲାମବାଦ:ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଆମ ଦେଶ ଭାରତରେ 'ଆମେ ଦୁଇ ଆମର ଦୁଇ' ଫର୍ମୁଲା ପ୍ରାୟତଃ ଚାଲି ଆସୁଛି । ଆଜିକାଲିର ଦମ୍ପତି ଗୋଟିଏ କି ଦୁଇଟି ଅତି ବେଶୀରେ ୩ଟି ସନ୍ତାନର ପିତାମାତା ହେଉଛନ୍ତି (Pakistani man welcomes 60th Child) । ହେଲେ ପଡୋଶୀ ଦେଶ ପାକିସ୍ତାନରେ ଜଣେ ବ୍ୟକ୍ତି ୬୦ତମ ସନ୍ତାନର ପିତା ହୋଇଛନ୍ତି । ଆଜ୍ଞା ହଁ, ଏହି ଖବରଟି ନିଶ୍ଚିତ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ, ହେଲେ ବାସ୍ତବରେ ଘଟିଛି ଏପରି ଘଟଣା । ଉକ୍ତ ବ୍ୟକ୍ତି ଜଣକ ବୃତ୍ତିରେ ଜଣେ ଡାକ୍ତର । ସବୁଠୁ ଆଶ୍ଚର୍ଯ୍ୟ କଥା ୩ଟି ପତ୍ନୀ ଓ ୬୦ଟି ସନ୍ତାନ ରହିଥିଲେ ସୁଦ୍ଧା ସେ ଆଉ କିଛି ମହିଳାଙ୍କୁ ବିବାହ କରି ସନ୍ତାନ ଜନ୍ମ କରିବାକୁ ଇଚ୍ଛୁକ ଥିବା କହିଛନ୍ତି ।
ବର୍ତ୍ତମାନର ଆଧୁନିକ ଯୁଗରେ ଏକ ସୁଖଦ ଜୀବନଶୈଳୀ ଜିଇଁବା ଲାଗି ମୋଟା ରକମର ଅର୍ଥର ଆବଶ୍ୟକ ହେଉଛି । ଏଣୁ ପ୍ରାୟତଃ ଦମ୍ପତି ଛୋଟ ପରିବାରକୁ ଆଶା କରୁଛନ୍ତି । ଏଣୁ ସେମାନେ ନିଜ ସନ୍ତାନଙ୍କ ସଂଖ୍ୟା ୨ରୁ ସୀମିତ ରଖିବାକୁ ପସନ୍ଦ କରୁଛନ୍ତି । ହେଲେ ଏଭଳି ସ୍ଥିତିରେ ଏହି ପାକିସ୍ତାନୀ ବ୍ୟକ୍ତି ଜଣକ ୬୦ଟି ସନ୍ତାନର ପିତା ହେବା ଶ୍ରୋତାଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ବ୍ୟକ୍ତିଙ୍କ ନାମ ୫୦ବର୍ଷୀୟ ସର୍ଦ୍ଦାର ଜେନ ମହମ୍ମଦ ଖାନ ଖିଲଜୀ (Sardar Jan Mohammad Khan Khilji) ବୋଲି ଜଣାପଡ଼ିଛି, ଯିଏକି ହାଜି ଖୁସଲ ଖାନ ନାମକ ଜଣେ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି ।
ଆଉ ସନ୍ତାନର ପିତା ହେବା ଇଚ୍ଛା:- ଖିଲଜୀ କହିଛନ୍ତି ସେ ଆଉ କିଛି ସନ୍ତାନର ପିତା ହେବାକୁ ଚାହୁଁଛନ୍ତି ଏଣୁ ଚତୁର୍ଥ ବିବାହ (4th Marriage) କରିବାକୁ ଇଚ୍ଛୁକ ବୋଲି କହିଛନ୍ତି । ଏହି ଖବରଟି ମାଇକ୍ରୋ-ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରରେ ଭାଇରାଲ ହେବାରେ ଲାଗିଛି । ଏକ ଆଫଗାନିସ୍ତାନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏହି ଖବର ସିହିତ ଖିଲଜୀଙ୍କ ଫଟୋ ମଧ୍ୟ ସେୟାର ହୋଇଛି । ଖିଲଜୀ ପାକିସ୍ତାନର ଏକ ସହର କ୍ବେଟା (Quetta)ର ଅଧିବାସୀ ବୋଲି ଜଣାପଡ଼ିଛି ।