ହାଇଦ୍ରାବାଦ: ଗିରଫ ଯେମିତି ନାଟକୀୟ ଥିଲା, ସେମିତି ମୁକ୍ତ ପ୍ରକ୍ରିୟା ମଧ୍ୟ ନାଟକୀୟ ଢଙ୍ଗରେ ଶେଷ ହେଲା । ମାତ୍ର ଘଣ୍ଟାଏ ମଧ୍ୟରେ ଇମ୍ରାନଙ୍କୁ ହାଜର କରିବା ପାଇଁ ପାକିସ୍ତାନ ସୁପ୍ରିମକୋର୍ଟ କହିବା ପରେ ସଂଧ୍ୟାରେ ତାଙ୍କୁ ଗିରଫ କରିଥିବା କେନ୍ଦ୍ରୀୟ ସଂସ୍ଥା NAB ହାଜର କରିଥିଲା । ସର୍ବୋଚ୍ଚ କୋର୍ଟ ଇମ୍ରାନଙ୍କ ଗିରଫଦାରୀକୁ ଅବୈଧ ଘୋଷଣା କରିବା ସହ ତାଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତୁରନ୍ତୁ ଇମ୍ରାନଙ୍କୁ NAB ହେପାଜତରୁ ମୁକ୍ତ କରାଯାଇଛି ।
ପାକିସ୍ତାନ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବା ବେଳେ ତଦନ୍ତକାରୀ ସଂସ୍ଥା NAB ଉପରେ ବର୍ଷିଥିଲ । କୋର୍ଟ ପରିସରରୁ ଏପରି ଗିରଫଦାରୀକୁ ସର୍ବୋଚ୍ଚ କୋର୍ଟ ଅପମାନଜନକ ଓ ଅଣସାମ୍ବିଧାନିକ ବୋଲି କହିଥିଲେ । ସର୍ବୋଚ୍ଚ କୋର୍ଟ ଗିରଫଦାରୀ ଶୈଳୀ ଉପରେ ପ୍ରଶ୍ନ ଉଠାଇ କହିଥିଲେ, କୌଣସି କୋର୍ଟ ପରିସର ମଧ୍ୟରୁ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିବନାହିଁ । ଇମ୍ରାନଙ୍କ ଗିରଫଦାରୀ ସମ୍ପୂର୍ଣ୍ଣ ବେଆଇନ ତରିକାରେ ହୋଇଛି । ତେଣୁ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ କୋର୍ଟ ଏନଏବିକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି କୋର୍ଟ ଇମ୍ରାନ ଖାନଙ୍କୁ ମଧ୍ୟ କହିଥିଲେ, ‘‘ଆପଣକୁ ମୁକ୍ତ କରାଯାଉଛି, ହେଲେ ଆପଣଙ୍କ ଗିରଫଦାରୀ ପରେ ସମଗ୍ର ଦେଶରେ ଯେଉଁ ହିଂସା ଦେଖାଯାଇଛି ତାହା ନିନ୍ଦନୀୟ । ଆପଣ ମଧ୍ୟ ଏହି ହିଂସାକୁ ନିନ୍ଦା କରିବା ଉଚିତ ।’’
ଆଜି ମୁକ୍ତ କରିବା ସହ ସର୍ବୋଚ୍ଚ କୋର୍ଟ ଇମ୍ରାନଙ୍କୁ 12 ତାରିଖରେ ଅସଲାମାବାଦ ହାଇକୋର୍ଟରେ ହାଜର ହେବାକୁ କହିଛନ୍ତି । ଉକ୍ତ ଶୁଣାଣିରେ ହାଇକୋର୍ଟ ଯେଉଁ ନଷ୍ପତ୍ତି ଗ୍ରହଣ କରିବେ ତାହା ଇମ୍ରାନଙ୍କୁ ଗ୍ରହଣ କରିବାକୁ ହେବ । ଏହି ସମୟରେ ଇମ୍ରାନ ମଧ୍ୟ ସାଙ୍ଘାତିକ ଅଭିଯୋଗ କରିଛନ୍ତି । ତାଙ୍କୁ ଗିରଫଦାରୀ ପରେ ପୋଲିସ ମାଡ ମାରିଛି । ପୋଲିସ କଷ୍ଟଡିରେ ତାଙ୍କୁ ବାଡିରେ ମାଡ ମରାଯାଇଥିବା ଇମ୍ରାନ କୋର୍ଟଙ୍କୁ ଅବଗତ କରିଥିଲେ । ଆଜି ଇମ୍ରାନଙ୍କ ମାମଲାର ଶୁଣାଣି କରିଥିବା 3ଜଣିଆ ଖଣ୍ଡପୀଠ ତଦନ୍ତକାରୀ ସଂସ୍ଥା ଏ ଏନଏବିକୁ ଏପରି କର୍ଯାନୁଷ୍ଠାନରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।