ହାଇଦ୍ରାବାଦ:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନ ଆଜି ରାତି ସୁଦ୍ଧା ଗିରଫ ହୋଇପାରନ୍ତି । ଆଜି ପୁଣି ପୋଲିସ ଟିମ୍ ତାଙ୍କ ଲାହୋର ସ୍ଥିତ ବାସଭବନରେ ପହଞ୍ଚିଥିବା ସୂଚନା ମିଳିଛି । ତାଙ୍କୁ ଗିରଫ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଓ ଆଜି ରାତି ସୁଦ୍ଧା ତାଙ୍କୁ ଗିରଫ କରାଯାଇପାରେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି । ପୋଲିସ ଫୋର୍ସ ପହଞ୍ଚିବା ପରେ ଇମ୍ରାନଙ୍କ ବାସଭବନ ବାହାରେ ପିଟିଆଇ କର୍ମୀ ଓ ସମର୍ଥକଙ୍କ ଭିଡ ମଧ୍ୟ ବଢିବାରେ ଲାଗିଛି । ପୋଲିସ ଫୋର୍ସକୁ ସେମାନେ ଇମ୍ରାନଙ୍କ ବାସଭବନରେ ପ୍ରବେଶ କରିବାକୁ ଦେଉନଥିବା ନେଇ ମଧ୍ୟ ସୂଚନା ମିଳିଛି ।
ଜଣେ ମହିଳା ବିଚାରପତିଙ୍କୁ ଧମକ ଦେବା ଅଭିଯୋଗରେ ଇମ୍ରାନଙ୍କ ନାମରେ ଜାରି କରାଯାଇଥିବା ଜାମିନ ବିହୀନ ଗିରଫ ପରଓ୍ବାନାକୁ ମାର୍ଚ୍ଚ 16 ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି ପାକିସ୍ତାନର ଏକ କୋର୍ଟ । ଗତବର୍ଷ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ସେ ଜଣେ ମହିଳା ଜିଲ୍ଲା ଓ ଶେସନ ଜଜଙ୍କୁ ଧମକ ଦେଇଥିବା ଅଭିଯୋଗ ଆସିଥିଲା । ଏନେଇ ମାମଲା ରୁଜୁ ହେବା ସହ କୋର୍ଟର ଶୁଣାଣି ପ୍ରକ୍ରିୟାରେ ସହଯୋଗ ନକରିବା କାରଣରୁ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବନା ଜାରି କରାଯାଇଥିଲା । ଯେଉଁଥିରେ ଇମ୍ରାନ ଖାନ 16 ତାରିଖ ପର୍ଯ୍ୟନ୍ତ ଗିରଫଦାରୀରୁ ଆଶ୍ବସ୍ତି ପାଇଛନ୍ତି । କିନ୍ତୁ ତୋଷଖାନା ଭ୍ରଷ୍ଟାଚାର ମାମଲାରେ ଆଜି ତାଙ୍କୁ ଗିରଫ କରାଯାଇପାରେ ।
70 ବର୍ଷୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଓକିଲ କହିଛନ୍ତି, ଏହି ମାମଲାରେ ଇମ୍ରାନ ବାସଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣିରେ ଉପସ୍ଥିତ ରହିବେ । ବରିଷ୍ଠ ସିଭିଲ ଜଜ୍ ରାଣା ମୁଜାହିଦ ରହିମ ଇମ୍ରାନଙ୍କ ଓକିଲଙ୍କ ଏହି ଆବେଦନକୁ ଅଗ୍ରାହ୍ୟ କରିବା ସହ ଇମ୍ରାନଙ୍କୁ 29 ମାର୍ଚ୍ଚ ମଧ୍ୟରେ କୋର୍ଟରେ ପ୍ରତ୍ୟେକ୍ଷ ହାଜର କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକୁ ଇମ୍ରାନ ଜିଲ୍ଲା କୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ । ଇମ୍ରାନଙ୍କ ସୁରକ୍ଷା କାରଣରୁ ତାଙ୍କୁ ଭର୍ଚ୍ଚୁଆଲି କୋର୍ଟରେ ହାଜର ହେବା ପାଇଁ ଅନୁମତି ମିଳୁ ବୋଲି ତାଙ୍କ ଓକିଲ ଦାବି କରିଥିଲେ । ଯାହା ଜିଲ୍ଲା ଜିଲ୍ଲା କୋର୍ଟ ଗ୍ରହଣ କରିଥିଲେ ।