ଇସଲାମବାଦ:1999ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲଢାଯାଇଥିବା କାର୍ଗିଲ ଯୁଦ୍ଧ ସମ୍ପର୍କରେ ବଡ ବୟାନ ଦେଇଛନ୍ତି ତତ୍କାଳୀନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ । ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ସୁପ୍ରିମୋ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଭାରତ ସହ ଭଲ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଥିବା ଓ 1999ରେ କାର୍ଗିଲ ଯୁଦ୍ଧକୁ ବିରୋଧ କରିବାରୁ ତାଙ୍କ ସରକାରକୁ ବରଖାସ୍ତ କରାଯାଇଥିଲା ବୋଲି କହିଛନ୍ତି । ଶନିବାର ଲାହୋରରେ ତାଙ୍କ ଦଳ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହି ସୂଚନା ଦେଇଛନ୍ତି ସରିଫ ।
ନୱାଜ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ନେତୃତ୍ବାଧୀନ PML-N ସରକାର ସର୍ବଦା ଭଲ ପ୍ରଦର୍ଶନ କରିଆସିଥିଲା । ସେ ପ୍ରଶ୍ନ କରିଛନ୍ତି, ‘‘ମୁଁ ଜାଣିବାକୁ ଚାହେଁ ଯେ 1993 ଏବଂ 1999ରେ ମୋ ସରକାର କାହିଁକି ପରାସ୍ତ ହେଲା ? ଏହା କାରଣ ଆମେ କାର୍ଗିଲ ଯୁଦ୍ଧକୁ ବିରୋଧ କରିଥିଲୁ ? ଅକ୍ଟୋବର 12, 1999ରେ କାର୍ଗିଲ ଯୁଦ୍ଧରେ ପାକିସ୍ତାନ ପରାସ୍ତ ହୋଇଥିଲା ।’’ ସେତେବେଳେ ତାଙ୍କ ଦଳର ସରକାର ଥିବାବେଳେ ସେ ହିଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ ।
ଚଳିତ ଅକ୍ଟୋବର 21 ତାରିଖରେଦୀର୍ଘ 4 ବର୍ଷ ପରେ ସ୍ବଦେଶ ଫେରିଥିଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ । କ୍ଷମତାରୁ ହଟିବା ପରେ ସେ ଘୋଟାଲା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ପରେ ଚିକିତ୍ସା ପାଇଁ ବେଲ ପାଇ ଲଣ୍ଡନ ଯାଇ ଆଉ ଫେରିନଥିଲେ । ତାଙ୍କ ନାମରେ ଏକାଧିକ ମାମଲା ମଧ୍ୟ ଜାରି ରହିଛି । ଦୀର୍ଘ 4 ବର୍ଷ ଆତ୍ମନିର୍ବାସନରେ ରହିବା ପରେ ଏବେ ପାକିସ୍ତାନ ସାଧାରଣ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଅକ୍ଟୋବରରେ ସରିଫ ସ୍ବଦେଶ ଫେରିଥିଲେ । ଏବେ ତାଙ୍କ ସାନଭାଇ ଶେହଓ୍ବାଜ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବାରୁ ମାମଲାଗୁଡିକରୁ ତାଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିବା ପରି ଦୃଶ୍ୟମାନ ହେଉଛି ।