ଇସଲାମାବାଦ:ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । କୌଣସି ମୂହୁର୍ତ୍ତରେ ମଧ୍ୟ ଗିରଫ ହୋଇପାରନ୍ତି ଇମ୍ରାନ ଖାନ । ଇସଲାମାବାଦ କୋର୍ଟର ଜଣେ ମହିଳା ବିଚାରପତିଙ୍କୁ ଧମକ ଦେବା ଅଭିଯୋଗରେ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି । ୱାରେଣ୍ଟ ଜାରି ହେବା ମାତ୍ରେ ପୋଲିସ ଉମ୍ରାନ ଖାନଙ୍କୁ ଗିରଫ କରିବାକୁ ଯାଇଛି । ତେଣୁ କୌଣସି ମୂହୁର୍ତ୍ତରେ ମଧ୍ୟ ଇମ୍ରାନ ଖାନଙ୍କୁ ଗିରଫ କରାଯିବା ନେଇ ସ୍ଥାନୀୟ ଗଣମାଧ୍ୟମରେ ଲଗାତାର ଖବର ପ୍ରସାରିତ ହେବାରେ ଲାଗିଛି ।
ସୋମବାର ଅପରାହ୍ନରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଲେଟ ପ୍ରୁଫ କାରରେ ଘରୁ ବାହାରକୁ ଯାଉଥିବାର ନଜର ଆସିଥିଲେ । ଅନ୍ୟପଟେ ମାର୍ଚ୍ଚ ୧୮ରେ ଇମ୍ରାନ ଖାନଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି । ଇସଲାମାବାଦର ଅତିରିକ୍ତ ଅଧିବେଶନ କୋର୍ଟ ଆଜି(ସୋମବାର) ତୋସଖାନା ମାମଲାରେ ଜାମିନ ଆବେଦନକୁ ଖାରଜ କରିବା ସହ ତାଙ୍କ ବିରୋଧରେ ଜାରି ହୋଇଥିବା ଜାମିନ ବିହୀନ ୱାରେଣ୍ଟକୁ ବଳବତ୍ତର ରଖିଛନ୍ତି । ଇମ୍ରାନଙ୍କ ଗିରଫଦାରୀ ମାମଲାରେ ଇସଲାମାବାଦ ପୋଲିସ ଲାହୋର ପୋଲିସଠାରୁ ସାହାଯ୍ୟ ମାଗିଥିଲା । ଗିରଫଦାରୀ ସମୟରେ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ଆଶଙ୍କରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ:ଭାରତକୁ ବନ୍ଧୁ ରାଷ୍ଟ୍ର କହିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ, ପରେ ବଦଳାଇଲେ ମତ