ଇସଲାମବାଦ:ପାକିସ୍ତାନରେ ଜନ୍ମ ମୂଳ କାନାଡୀୟ ଲେଖକ ତଥା ସାମ୍ବାଦିକ ତାରିକ ଫତେହଙ୍କ ପରଲୋକ । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବେଳେ ରବିବାର ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି । ତାରିକ ଫତେହଙ୍କ ମୃତ୍ୟୁକୁ ନେଇ ଝିଅ ନତାଶା ଫତେହ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାରିକ ଫତେହଙ୍କୁ ୭୩ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁକୁ ନେଇ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି ।
ତାରିକ ଫତେହ ଜଣେ ଲୋକପ୍ରିୟ ଲେଖକ ଥିଲେ । ସେ ନିଜକୁ ହିନ୍ଦୁସ୍ତାନର ପୁଅ ଏବଂ ପଞ୍ଜାବର ସିଂହ ବୋଲି କହୁଥିଲେ । ଝିଅ ନତାଶା ଫତେହ ଟ୍ବିଟ ଯୋଗେ ସୂଚନା ଦେଇ କହିଛନ୍ତି, "ହିନ୍ଦୁସ୍ତାନକ ପୁତ୍ର, ପଞ୍ଜାବର ସିଂହ, କାନାଡା ପ୍ରେମୀ, ସତ୍ୟର ମୁଖପାତ୍ର, ନ୍ୟାୟର ସଂଗ୍ରାମୀ । ସେ ତାଙ୍କ ବିପ୍ଲବର ପଥକୁ ଅତିକ୍ରମ କରିସାରିଛନ୍ତି । ଯେଉଁମାନେ ତାଙ୍କୁ ଜାଣିଥିଲେ ଏବଂ ଭଲ ପାଉଥିଲେ, ସେମାନଙ୍କ ସହ ତାଙ୍କର ବିପ୍ଲବ ଜାରି ରହିବ ।" ତାରିକଙ୍କ ଦେହାନ୍ତ ନେଇ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି । ଚଳଚ୍ଚିତ୍ର ନିର୍ମାତା ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଶୋକପ୍ରକାଶ କରି କହିଛନ୍ତି, "ଗୋଟିଏ ହିଁ ତାରିକ ଫତେହ ଥିଲେ । ସେ ଜଣେ ସାହାସୀ, ଚତୁର, ମହାନ ବକ୍ତା ଏବଂ ନିର୍ଭିକ ଯୋଦ୍ଧା ଥିଲେ । ତୁମ ଭଳି ଜଣେ ଘନିଷ୍ଟ ବନ୍ଧୁ ପାଇ ମୁଁ ଖୁସି ଅନୁଭବ କରୁଥିଲି । ତାଙ୍କର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ ।"