ଇସଲାମାବାଦ:ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ପରେ ଏବେ ଅଶାନ୍ତ ସମଗ୍ର ପାକିସ୍ତାନ । ବିଭିନ୍ନ ସହରରେ ଇମ୍ରାନଙ୍କ ଦଳର କର୍ମୀ ଓ ସମର୍ଥକଙ୍କ ପ୍ରତିବାଦ ଓ ଆନ୍ଦୋଳନ ଯୋଗୁ ଲକଡାଉନ ଘୋଷଣା କରିବା ପରି ସ୍ଥିତି ସୃଷ୍ଟି ହୋଇଛି । ରାଜଧାନୀ ଇସଲାମାବାଦ ସମେତ ଅନେକ ବଡ ସହରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି (assassination attempt to Imran Khan)। ଗୋଟିଏ ପଟେ ଇମ୍ରାନ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ସେହେଓ୍ବାଜ ସରିଫ, ଆଭ୍ୟନ୍ତରୀଣ ମନ୍ତ୍ରୀ ଓ ଜଣେ ବରିଷ୍ଠ ସେନାଧିକାରୀଙ୍କ ବିରୋଧରେ ତାଙ୍କୁ ହତ୍ୟା ନେଇ ଷଡଯନ୍ତ୍ର ଅଭିଯୋଗ ଆଣିଥିଲା ବେଳେ, ସେନା ମଧ୍ୟ ଇମ୍ରାନଙ୍କ ବିରୋଧରେ ପାଲଟା ଆଭିମୁଖ୍ୟ ଗ୍ରହଣ କରିଛି ।
ପାକିସ୍ତାନ ସେନାର ଇଣ୍ଟର ସର୍ଭିସ-ପବ୍ଲିକ ରିଲେସନର ମହାନିର୍ଦ୍ଦେଶକଙ୍କ (DG ISPR) ପକ୍ଷରୁ ଇମ୍ରାନ ଖାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି । ଇମ୍ରାନ ଜଣେ ବରିଷ୍ଠ ସେନାଧିକାରୀଙ୍କ ବିରୋଧରେ ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି । ଯାହା ଆଦୌ ଗ୍ରହଣୀୟ ନୁହେଁ । ପାକିସ୍ତାନ ସେନା ବିଶ୍ବର ଏକ ସଂଗଠିତ ଓ ଶୃଙ୍ଖଳିତ ସେନା । ସେନା ବିରୋଧରେ ଇମ୍ରାନଙ୍କ ଏପରି ଅଭିଯୋଗ ଆଦୌ ଗ୍ରହଣୀୟ ନୁହେଁ (assassination attempt to Imran Khan) । ଯାହା ସେନାର ମର୍ଯ୍ୟାଦା କ୍ଷୂର୍ଣ୍ଣ କରିଛି । ତେଣୁ ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି ।