ହାଇଦ୍ରାବାଦ: ‘ହମାସ’ ଗୋଷ୍ଠୀର ଆକ୍ରମଣ ପରେ ଇସ୍ରାଏଲ ଜାରି ରହିଥିବା ସାମରିକ ଅଭିଯାନ ଆଜି ଷଷ୍ଠ ଦିନରେ ପହଞ୍ଚିଛି । ଏବେ ସୁଦ୍ଧା ଗାଜାରେ ହମାସ ଆତଙ୍କୀ ଗୋଷ୍ଠୀର 3,600 ଆଡ୍ଡାକୁ ଟାର୍ଗେଟ କରାଯାଇ ସାରିଥିବା ଇସ୍ରାଏଲ ସେନା କହିଛି । ଏହି ଅପରେସନ ହମାସର ଶେଷ ଆତଙ୍କୀଙ୍କୁ ନିପାତ କରିବା ପରେ ହିଁ ଶେଷ ହେବ ବୋଲି ସେନା କହିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଆଜି ହମାସ ଆତଙ୍କବାଦୀଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିବା ନବଜାତ ଶିଶୁର ଫଟୋ ସେୟାର କରି ଆତଙ୍କୀଙ୍କୁ ଚେତାବନୀ ଦେଇଛନ୍ତି । ଆତଙ୍କୀଙ୍କ ପାଇଁ ବର୍ତ୍ତମାନଠାରୁ ମଧ୍ୟ ଅଧିକ କଠିନ ସମୟ ଆସିବାକୁ ଯାଉଛି ବୋଲି ସେ କହିଛନ୍ତି । ସେ ଏହି ଫଟୋକୁ ଏକ୍ସରେ ଟ୍ବିଟ ମଧ୍ୟ କରିଛନ୍ତି ।
ଇସ୍ରାଏଲ ସେନାର ପ୍ରଚଣ୍ଡ ଆକ୍ରମଣରେ ଗାଜା ପଟି ଧ୍ବଂସ ସ୍ତୁପରେ ପରିଣତ ହେଲାଣି । ମୃତାହତଙ୍କ ସଂଖ୍ୟା ସମ୍ପର୍କରେ କିଛି ସଠିକ ଅନୁମାନ କରିବା ମଧ୍ୟ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପାଇଁ କଷ୍ଟକର ବ୍ୟାପାର ହୋଇଛି । ମୃତକଙ୍କ ମଧ୍ୟରେ ସାଧାରଣ ଲୋକ ମଧ୍ୟ ରହିଥିବା ଆଶଙ୍କା ପ୍ରକାଶ ପାଇଛି । ଏହାରି ମଧ୍ୟରେ ଆଜି ଆମେରିକା ବିଦେଶ ସଚିବ ଆଣ୍ଟୋନୀ ବ୍ଲିନକେନ ଇସ୍ରାଏଲର ଟେଲ ଆଭିଭରେ ପହଞ୍ଚି ପ୍ରଧାନମନ୍ତ୍ରୀ ନେତିନ୍ୟାହୁଙ୍କ ସହ ଆଲୋଚନା କରିଛନ୍ତି । ଯେ ପର୍ଯ୍ୟନ୍ତ ଆମେରିକାର ଅସ୍ତିତ୍ବ ରହିଛି, ସେ ପର୍ଯ୍ୟନ୍ତ ସେମାନେ ଇସ୍ରାଏଲ ସହ ରହିବା ନେଇ ବ୍ଲିନକେନ କହିଛନ୍ତି । ଉଭୟ ଦେଶର ପ୍ରତିନିଧି ମଣ୍ଡଳୀ ମଧ୍ୟରେ ଆଲୋଚନା ହେବା ପରେ ଉଭୟ ନେତିନ୍ୟାହୁ ଓ ବ୍ଲିନକେନ ମିଳିତ ପ୍ରେସମିଟକୁ ସମ୍ବୋଧିତ କରିଛନ୍ତି । ଆମେରିକାର ସମର୍ଥନ ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି ।
ଇସ୍ରାଏଲୀ ନାଗରିକଙ୍କ ଉପରେ ବର୍ବର ଆକ୍ରମଣ କରିଥିବା ଆତଙ୍କୀଙ୍କ ପାଇଁ ବର୍ତ୍ତମାନ ଠାରୁ ମଧ୍ୟ କଠିନ ସମୟ ଆସିବାକୁ ଯାଉଥିବା ସେ ଚେତାବନୀ ମଧ୍ୟ ଦେଇଛନ୍ତି । ପ୍ରଥମ ଦିନରୁ ହିଁ ସିଧା ଯୁଦ୍ଧ ଘୋଷଣା କରିଥିଲେ ନେତାନ୍ୟାହୁ । ଆକ୍ରମଣ ପରେ ଶନିବାର ସକାଳେ ସେ ଭିଡିଓ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ଇସ୍ରାଏଲ ଏବେ ଯୁଦ୍ଧରେ ବୋଲି କହିଥିଲେ । ଇସ୍ରାଏଲ ଆକ୍ରମଣର କଡା ହିସାବ ନେବା ନେଇ ନେତାନ୍ୟାହୁଙ୍କ ସମ୍ବୋଧନରୁ ସ୍ପଷ୍ଟ ହୋଇଥିଲା ।