ରବାତ:ଭୟଙ୍କର ଭୂମିକମ୍ପରେ ଦୋହଲି ଯାଇଛି ଆଫ୍ରିକୀୟ ଦେଶ ମରକ୍କୋ । ୬.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭୂକମ୍ପ କାରଣରୁ ଏବେ ସୁଦ୍ଧା ୨୦୦୦ରୁ ଅଧିକ ମୃତ୍ୟୁ ଘଟିଥିବା ବେଳେ ୨,୦୫୯ ଜଣ ଆହତ ହୋଇଛନ୍ତି । ଅନେକ ବଡ ବଡ ଅଟ୍ଟାଳିକା ସମ୍ପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି । ଏବେ ବି ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତ ୬ ଦଶନ୍ଧି ମଧ୍ୟରେ ଦେଶରେ ଏହା ସବୁଠୁ ଭୟାନକ ଭୂମିକମ୍ପ ବୋଲି କୁହାଯାଉଛି । ଏନେଇ ଦେଶରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି । ଶୁକ୍ରବାର ବିଳମ୍ବିତ ରାତି ୧୧ଟା ୧୧ ସମୟରେ ମରକ୍କୋରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ଦେଶର କାସାବ୍ଲାଙ୍କା ଠାରୁ ମାରାକେଶ୍ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଏହି ଭୂକମ୍ପ ହୋଇଥିଲା ।
ଭୂକମ୍ପର ଉତ୍ପତ୍ତିସ୍ଥଳ ଭୂପୃଷ୍ଠରୁ ୧୮.୫ କିଲୋମିଟର ଗଭୀରରେ ଥିଲା । ଏହାର କେନ୍ଦ୍ରବିନ୍ଦୁ ମାରାକେଶ୍ ଠାରୁ ୭୧ କିଲୋମିଟର ଦକ୍ଷିଣ-ପଶ୍ଚିମ ଆଟଲାସ୍ ପର୍ବତରେ ରହିଥିଲା । ଭୂମିକମ୍ପରେ ହଜାର ହଜାର ଜୀବନ ଯିବା ସହ ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଛି । ଏବେ ବି ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ଉଦ୍ଧାର କରିବାକୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ସେହିପରି ଭୂକମ୍ପ ପରେ ହଜାର ହଜାର ଲୋକେ ବାସହରା ହୋଇଯାଇଛନ୍ତି । ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ସ୍ବଚ୍ଛ ପାନୀୟ ଜଳ, ଖାଦ୍ୟ, ଟେଣ୍ଟ ଏବଂ କମ୍ବଳ ଇତ୍ୟାଦି ଆବଶ୍ୟକୀୟ ସାମଗ୍ରୀ ଯୋଗାଇବାକୁ ଦେଶର ସଶସ୍ତ୍ର ବାହିନୀ ପକ୍ଷରୁ ରେସ୍କ୍ୟୁ ଟିମ୍ ମୁତୟନ କରାଯିବ ବୋଲି ସୂଚନା ଦିଆଯାଇଛି ।