କିଭ:ଋଷିଆ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଲଢେଇକୁ ଇତି ମଧ୍ୟରେ ବର୍ଷେ ପୁରିଛି । ଆଜକୁ ଠିକ ବର୍ଷେ ପୂର୍ବେ ୨୦୨୨ ମସିହା ଫେବୃଆରୀ ମାସ ୨୪ ତାରିଖରେ ଆରମ୍ଭ ହୋଇଥିଲା ଋଷ-ୟୁକ୍ରେନ ଯୁଦ୍ଧ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେବା ପରେ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା ଋଷ । ଦେଶବ୍ୟାପୀ ଘନଘନ ମିଶାଇଲ ମାଡ କରିଥିଲା । ଫଳରେ ୟୁକ୍ରେନର ଅନେକ ସହର ଧ୍ବଂସ ହୋଇଯାଇଥିଲା । ତଥାପି ମଧ୍ୟ ମୁଣ୍ଡ ନୁଆଇଁ ନଥିଲା ୟୁକ୍ରେନ । ସମସ୍ତ ଭାବିଥିଲେ ୟୁକ୍ରେନ ଛୋଟ ଦେଶ ହୋଇଥିବାରୁ ଅତିଶୀଘ୍ର ଋଷ ଅକ୍ତିଆର କରିବା ସହ ୟୁକ୍ରେନକୁ ଧୂଳି ଚଟାଇବ । କିନ୍ତୁ ଋଷର ଆଶା ବିଫଳ ହୋଇଥିଲା । ୟୁକ୍ରେନ ମୁଣ୍ଡ ନନୁଆଁଇବା କାରଣରୁ ଯୁଦ୍ଧ ବନ୍ଦ ହେବା ପରିବର୍ତ୍ତେ ବେଳକୁ ବେଳ ଲମ୍ବିବାରେ ଲାଗିଛି ।
କିଭ ଠାରୁ ଅପହଞ୍ଚ ଋଷ: ମିଶାଇଲ ମାଡରୁ ୟୁକ୍ରେନବାସୀଙ୍କ ସକାଳ ଆରମ୍ଭ ହେଉଥିବା ବେଳେ ପ୍ରଚଣ୍ଡ ଶବ୍ଦରେ ହିଁ ରାତି ହେଉଛି । ଋଷ ଯୁଦ୍ଧ ଆରମ୍ଭ କରିବା ସମୟରେ ୟୁକ୍ରେନର କିଛି ଅଞ୍ଚଳକୁ କବଜା କରିଥିବା ବେଳେ ସମୟକ୍ରମେ ତାହା ମଧ୍ୟ ଛଡାଇ ଆଣିଥିଲା । ୟୁକ୍ରେନର ପୂର୍ବ ଏବଂ ଦକ୍ଷିଣ ଉପରେ ଫୋକସ କରିଥିଲା ପୁଟିନ ସେନା । ସମଗ୍ର ଡେନବାସକୁ ଅକ୍ତିଆର କରିବା ପାଇଁ ଚେଷ୍ଟା କରିଥିବା ବେଳେ ପୁଟିନ ସେନାକୁ ବର୍ତ୍ତମାନ ସୁଦ୍ଧା ସଫଳ ମିଳିପାରି ନାହିଁ । ସଫଳତା ପରିବର୍ତ୍ତେ ମାଟି କାମୁଡିଲା ଭଳି ମନେ ହେଉଛି । ଋଷ ସେନାର ପ୍ରାଣପ୍ରଣେ ଚେଷ୍ଟା କରିବା ସତ୍ତ୍ବେ ୟୁକ୍ରେନର ରାଜଧାନୀ କିଭକୁ ଅକ୍ତିଆର କରିବାରେ ବିଫଳ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ମାରିଉପଲ, ଜାପୋରିଝିଆ, ଡୋନେସ୍କ, ଖେରସେନ ଆଦିକୁ କବ୍ଜା କରିଛି । ୟୁକ୍ରେନ ମଧ୍ୟ ଋଷଠାରୁ ନିଜ ଅଞ୍ଚଳକୁ ମୁକୁଳାଇବା ପାଇଁ ଚେଷ୍ଟା ଚଳାଇଛି ।
ୟୁକ୍ରେନରେ ଯୁଦ୍ଧ ବିଭୀଷିକା:ବର୍ଷେ ହେଲା ଯୁଦ୍ଧ ଭିତରେ ଜୁଝି ହେଉଛି ୟୁକ୍ରେନ । ବର୍ଷକ ମଧ୍ୟରେ ୭ହଜାରରୁ ଉର୍ଦ୍ଧ୍ବ ଜନତା ପ୍ରାଣ ହରାଇଥିବା ବେଳେ ୮୦ ହଜାରରୁ ଅଧିକ ଲୋକ ୟୁକ୍ରେନ ଛାଡି ପଳାଇଛନ୍ତି । ଋଷ ରାଷ୍ଟ୍ରପତିଙ୍କ ଜିଦ ସାଙ୍ଗକୁ ନାଟୋରେ ମିଶିବାକୁ ୟୁକ୍ରେନର ଆଶଙ୍କା ଭିତରେ ଦୁର୍ବିସହ ଜୀବନ ବିତାଉଛନ୍ତି ଲୋକେ ।
ୟୁକ୍ରେନକୁ ବଢୁଛି ସହାୟତାର ହାତ:ୟୁକ୍ରେନର ଦୟନୀୟ ପରିସ୍ଥିତିରେ ଆମେରିକା ସମେତ ଏହାର ନାଟୋ ସହଯୋଗୀ ରାଷ୍ଟ୍ର ୟୁକ୍ରେନକୁ ଆର୍ଥିକ ସାହାଯ୍ୟ ଯୋଗାଇଦେଇଛନ୍ତି । ସାମରିକ ସହ ଆର୍ଥିକ ସାହାଯ୍ୟର ହାତ ବଢାଇଛନ୍ତି । ଫଳରେ ବଳପାଇ ପୁଣି ଉପରକୁ ଉଠୁଛି ୟୁକ୍ରେନ । ଆମେରିକା ସହ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଋଷ ବିରୋଧରେ କଟକଣା ଲଗାଇ ତଳିତଳାନ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି । ଋଷ ମୁଣ୍ଡ ନନୁଆଁଇ ଏକାକି ଲଢିବ ବୋଲି କହିଛନ୍ତି ପୁଟିନ । ତେବେ ଏହି ଯୁଦ୍ଧ କେବେ ସରିବ ତାହା ଆକଳନ କରିବା ମଧ୍ୟ ଅସମ୍ଭବ ।