ହାଇଦ୍ରାବାଦ:ଆମେରିକାରେ ପୁଣି ଗୁଳିମାଡ ହୋଇଛି । ଇଲିନୋଇସର ୱିଲିଓବ୍ରୋକ୍ରେ ଜୁନେଣ୍ଟେଣ୍ଟ ଉତ୍ସବରେ ଗତ ଶନିବାର କେହି ଜଣେ ଦୁର୍ବୃତ୍ତ ଅତର୍କିତ ଗୁଳିବର୍ଷା କରିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 20 ଜଣ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସୁଦ୍ଧା ଗୁଳିକାଣ୍ଡର କାରଣ ଜଣାପଡିନାହିଁ । ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ତଦନ୍ତ ଆରମ୍ଭ କରିଛି ପୋଲିସ । ସ୍ଥାନୀୟ ଅଞ୍ଚଳରେ ଏବେ ହାଇଆଲର୍ଟ ଜାରି କରାଯାଇଛି ।
ଅନ୍ତର୍ଜାତୀୟ ଗଣମାଧ୍ୟମ ସିଏନଏନର ରିପୋର୍ଟ ଅନୁସାରେ, ଚିକାଗୋ ସହର ଠାରୁ ପ୍ରାୟ 21 କିଲୋମିଟର ଦୂରରେ ଥିବା ୱିଲୋବ୍ରୋକ୍ରେ ଏକ ପାର୍କିଂ ସ୍ଥାନରେ ରାତି ପ୍ରାୟ 12.30 ସମୟରେ (ସ୍ଥାନୀୟ ସମୟ) ଏହି ଗୁଳିମାଡ ହୋଇଥିଲା । ରାତିରେ ହଠାତ୍ ଜଣେ ବ୍ୟକ୍ତି କାର୍ଯ୍ୟକ୍ରମ ସ୍ଥଳକୁ ପ୍ରବେଶ କରିଥିଲା । ହଠାତ୍ ଯୁବକ ଜଣଙ୍କ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲା । ସମସ୍ତେ ଭୟରେ ଏଣେତେଣେ ପ୍ରାଣ ବିକଳରେ ଦୌଡିଥିଲେ । ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି କର୍ଡନ କରିଥିଲା । ଉଦ୍ଧାର ଅପରେସନ ମଧ୍ୟ ଆରମ୍ଭ ହୋଇଥିଲା । ହେଲେ ଦୁର୍ବୃତ୍ତ ଫେରାର ହୋଇଯିବାରେ ସଫଳ ହୋଇଛି ।