ଟୋକିଓ:ପ୍ରତିବର୍ଷ ଅଗଷ୍ଟ ମାସ 9 ତାରିଖରେ ପାଳନ କରାଯାଉଛି ନାଗାସାକି ଦିବସ । 1945 ମସିହା ଆଜିର ଦିନରେ ଦ୍ବିତୀୟ ବିଶ୍ବ ଯୁଦ୍ଧ ଚାଲିଥିବାବେଳେ ବିଶ୍ବ ଦେଖିଥିଲା ମହାବିନାଶ । ଆମେରିକାର ପରମାଣୁ ମାଡ଼ରେ ଜାପାନରେ ହାହାକାର ସୃଷ୍ଟି ହୋଇଥିଲା । 78ବର୍ଷ ପୂର୍ବେ ଜାପାନର ନାଗାସାକିରେ ଆମେରିକା ଦ୍ବାରା ହୋଇଥିଲା ଭୟଙ୍କର ବୋମା ବିସ୍ଫୋରଣ । ଯେଉଁଥିରେ ଧୂଳିସାତ୍ ହୋଇଯାଇଥିଲା ହିରୋସୀମା ଓ ନାଗାସାକି । ଏହି ଭୟଙ୍କର ପରିଣାମକୁ ସ୍ମରଣ କରିବା ସହ ଅସ୍ତ୍ର ମୁକ୍ତ ଭବିଷ୍ୟତକୁ ଅନୁସରଣ କରିବା ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଆଜିର ଦିନ ।
1945 ମସିହା ଅଗଷ୍ଟ ମାସ 6 ତାରିଖରେ ହିରୋସୀମା ସହରରେ 'ଲିଟିଲ୍ ବୟ' ନାମକ ଏକ ୟୁରେନିୟମ ପରମାଣୁ ବୋମା ଦ୍ବାରା ଆକ୍ରମଣ କରାଯାଇଥିଲା । ଏଥିରେ ପାଖାପାଖି 20 ହଜାର ସୈନିକ ଶହୀଦ ହୋଇଥିବା ବେଳେ 70ହଜାର ସାଧାରଣ ଲୋକ ପ୍ରାଣ ହରାଇଥିଲେ । ଏହାର ଠିକ୍ 3 ଦିନ ପରେ ଅର୍ଥାତ୍ ଅଗଷ୍ଟ 9 ତାରିଖରେ ଜାପାନର ଅଗ୍ରଣୀ ଶିଳ୍ପ ସହର ଭାବେ ଜଣାଶୁଣା ନାଗାସାକିରେ 'ଫ୍ୟାଟ୍ ମ୍ୟାନ' ପରମାଣୁ ବୋମା ପକାଇଥିଲା ଆମେରିକା । ଯେଉଁଥିରେ ପାଖାପାଖି 1 ଲକ୍ଷ 40ହଜାର ଲୋକଙ୍କ ଜାବନ ଯାଇଥିଲା। ସେମାନଙ୍କୁ ସ୍ମରଣ କରି ପ୍ରତିବର୍ଷ ଅଗଷ୍ଟ 9 ତାରିଖକୁ ନାଗାସାକି ଦିବସ ରୂପେ ପାଳନ କରାଯାଉଛି ।
ଆମେରିକା ଦ୍ବାରା କରାଯାଇଥିବା ଏହି ଆକ୍ରମଣ କାରଣରୁ ଧ୍ବଂସ ବିଧ୍ବସ୍ତ ହୋଇପଡ଼ିଲା ଜାପାନର ଏହି 2 ପ୍ରମୁଖ ସହର। ପୋକ ମାଛି ଭଳି ବହୁ ଲୋକଙ୍କ ଜୀବନ ଚାଲିଗଲା । ଆଉ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଲୋକ ଶାରୀରିକ ଅକ୍ଷମ ହୋଇଗଲେ । ପରମାଣୁ ବିକରଣର ପ୍ରଭାବ ଧୀରେଧୀରେ ପରିଲକ୍ଷିତ ହେବାକୁ ଲାଗିଲା। ଆଉ ତା ପରେ ଦ୍ବିତୀୟ ବିଶ୍ବଯୁଦ୍ଧର ସମାପ୍ତ ହେଲା। 1945 ମସିହା ସେପ୍ଟେମ୍ବରମାସ 2 ତାରିଖରେ ଆତ୍ମସମର୍ପଣ କରିବା ସହ ଔପଚାରିକ ବୁଝାମଣା ନେଇ ଚୁକ୍ତି ସ୍ବାକ୍ଷର କଲା ଜାପାନ।