ଇସଲାମବାଦ: ପାକିସ୍ତାନ ରାଜନୀତିରେ ଓଲଟିଲା ବାଜି । ସଂସଦରେ ଖାରଜ ହେଲା ଅନାସ୍ଥା ପ୍ରସ୍ତାବ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୁଦ୍ଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି । ଅନାସ୍ଥା ପ୍ରସ୍ତାବ ଖାରଜ କଲେ ଉପବାଚସ୍ପତି । ଏହାକୁ ବିଦେଶୀ ସରକାରଙ୍କ ଷଡଯନ୍ତ୍ର ଦର୍ଶାଇ ଉପବାଚସ୍ପତି କାସୀମ ସୁରୀ ପ୍ରସ୍ତାବ ଖାରଜ କରିଦେଇଛନ୍ତି । ଏହା ସଙ୍ଗେ ସଙ୍ଗେ ପାକିସ୍ତାନ ସଂସଦ ମଧ୍ୟ ଭଙ୍ଗ ହୋଇଛି । ଇମ୍ରାନ ଖାନଙ୍କ ସୁପାରିଶକୁ ଗ୍ରହଣ କରି ରାଷ୍ଟ୍ରପତି ଆରିଫ୍ ଅଲଭି(Arif Alvi) ସଂସଦ ଭଙ୍ଗ କରିଛନ୍ତି । ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ଥିଲା ।
ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ସଂସଦ ଭଙ୍ଗ ସହ ନିର୍ବାଚନ କରିବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ରାଷ୍ଟ୍ରପତି ଆରିଫ୍ ଅଲଭି(Arif Alvi)ଙ୍କୁ ପ୍ରସ୍ତାବ ଦେଇଥିଲେ । ଇମ୍ରାନ ଦେଶକୁ ସମ୍ବୋଧିତ କରି କହିଥିଲେ ଯେ, ‘ମୁଁ ସଂସଦ ଭଙ୍ଗ ପାଇଁ ରାଷ୍ଟ୍ରପତିଙ୍କୁ କହିଛି । ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ହେବା ଉଚିତ୍ । ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ମୁଁ ପାକିସ୍ତାନବାସୀଙ୍କୁ କହୁଛି । ଉପବାଚସ୍ପତିଙ୍କ ନିଷ୍ପତ୍ତି ପାଇଁ ମୁଁ ସମସ୍ତ ପାକିସ୍ତାନୀଙ୍କୁ ଧନ୍ୟବାଦ ଜଣାଉଛି । ଆମ ବିରୁଦ୍ଧରେ ଏହି ଅନାସ୍ଥା ପ୍ରସ୍ତାବ ଏକ ବିଦେଶୀ ଷଡଯନ୍ତ୍ର ଥିଲା । ପାକିସ୍ତାନବାସୀଙ୍କୁ କିଏ ଶାସନ କରିବ ତାହା ସେମାନେ ନିଷ୍ପତ୍ତି ନେବା ଉଚିତ୍ ’ ।