ନାଇଜେରିଆ:ଆଫ୍ରିକୀୟ ଦେଶ ନାଇଜେରିଆରେ କ୍ଷମତା ଦଖଲ କଲା ସେନା । ଗାଦିଚ୍ୟୁତ ହେଲେ ରାଷ୍ଟ୍ରପତି ମହମ୍ମଦ ବାଜମ । ନାଇଜେରିଆ ସେନା ରାତିରାତି ରାଷ୍ଟ୍ରପତି ବାଜମକୁ ହଟାଇ କ୍ଷମତା ଅକ୍ତିଆର କରିଛି । ଏପରିକି ରାଷ୍ଟ୍ରପତିଙ୍କୁ ବନ୍ଦୀ କରି ରଖିଥିବା ଦାବି କରିଛି । ସେନା କ୍ଷମତା ଦଖଲ କରିବା ପରେ ଦେଶରେ ସବୁ ଶିକ୍ଷାନୁଷ୍ଠାନ ଗୁଡିକୁ ତୁରନ୍ତ ସସପେଣ୍ଡ ଘୋଷଣା କରାଯାଇଛି । ଦେଶବ୍ୟାପୀ କର୍ଫ୍ୟୁ ଲାଗୁ କରାଯାଇ ସମସ୍ତ ସୀମାକୁ ବନ୍ଦ ରଖାଯାଇଛି । ଏନେଇ ଜାତୀୟ ଗଣମାଧ୍ୟମରେ ସେନା ପକ୍ଷରୁ ଘୋଷଣା କରାଯାଇଛି । ଏହି ଘଟଣାକୁ ବିଭିନ୍ନ ପାଶ୍ଚାତ୍ୟ ଦେଶ ଦୃଢ ନିନ୍ଦା କରିଛନ୍ତି ।
ନାଇଜେରିଆର କର୍ଣ୍ଣେଲ ମେଜର ଆମାଦୋ ଆବଡ୍ରାମେନ ୯ ଜଣ ସୈନିକଙ୍କ ସହିତ ଗଣମାଧ୍ୟମରେ କହିଛନ୍ତି ଯେ, ପ୍ରତିରକ୍ଷା ଓ ସୁରକ୍ଷା ବଳ ଦେଶରେ ପ୍ରଚଳିତ ଶାସନର ଅନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦେଶର ସୁରକ୍ଷା ସ୍ଥିତିରେ ଅବନତି ଏବଂ ଦୁର୍ବଳ ଆର୍ଥିକ ଓ ସାମାଜିକ ପରିଚାଳନା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି । ସେନା କ୍ଷମତା ଦଖଲ କରିବା ପରେ ସମସ୍ତ ଅନୁଷ୍ଠାନ ଗୁଡିକୁ ସସପେଣ୍ଡ କରାଯାଇଛି । ସମସ୍ତ ସୀମା ବନ୍ଦ ରଖାଯାଇଛି । ଦେଶବ୍ୟାପୀ କର୍ଫ୍ୟୁ ଲାଗୁ ହୋଇଛି । ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ରାତି ୧୦ରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ତେବେ ଏହି ବ୍ୟାପାରରେ କୌଣସି ବିଦେଶୀ ଶକ୍ତି ହସ୍ତକ୍ଷେପ ନ କରିବାକୁ ଚେତାବନୀ ଦେଇଛି ସେନା ।