ନ୍ୟୁଜିଲାଣ୍ଡ:ନ୍ୟୁଜିଲାଣ୍ଡରେ ତାଣ୍ଡବ ରଚୁଛି ବାତ୍ୟା ଗ୍ରାବିଏଲ । ବାତ୍ୟା ପ୍ରଭାବରେ ଦେଶର ବିଭିନ୍ନ ଅଞ୍ଚଳରେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟୁଛି । ଏହାକୁ ଦୃଷ୍ଟିରେ ରଖି ଆଜି(ମଙ୍ଗଳବାର) ଦେଶରେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ସରକାର । ଦେଶର ୬ଟି ଅଞ୍ଚଳରେ ଜରୁରୀ ପରିସ୍ଥିତି ଲାଗୁ ହୋଇଛି । ଏହି ଅଞ୍ଚଳଗୁଡିକ ହେଲେ ନର୍ଥଲ୍ୟାଣ୍ଡ, ଅକ୍ଲ୍ୟାଣ୍ଡ, ତାଇରାହ୍ବିଟି, ବେ ଅଫ୍ ପ୍ଲେଣ୍ଟି, ୱାଇକାଟୋ, ହୱକେସ ୱେ । ଏନେଇ ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି ।
ନ୍ୟୁଜିଲାଣ୍ଡ ଇତିହାସରେ ଏହାକୁ ମିଶାଇ ତୃତୀୟ ଥର ପାଇଁ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା ହୋଇଛି । ବାତ୍ୟା ଗ୍ରାବିଏଲର ମୁକାବିଲା କରିବାକୁ ପାଇଁ ଜରୁରୀ ପରିସ୍ଥିତି ଲାଗୁ କରାଯାଇଛି । ଏନେଇ ଦେଶର ଜରୁରୀକାଳୀନ ମନ୍ତ୍ରୀ କିରାନ୍ ମ୍ୟାକଅନଲ୍ଟି କହିଛନ୍ତି, "ପ୍ରଧାନମନ୍ତ୍ରୀ କ୍ରିସ୍ ହିପକିନ୍ସ ଏବଂ ବିରୋଧି ଦଳ ନେତାମାନଙ୍କ ସହ ଆଲୋଚନା ପରେ ଏହାକୁ ଲାଗୁ କରାଯାଇଛି । ଏହା ଏକ ଅପ୍ରତ୍ୟାଶିତ ପାଣିପାଗ । ବିଶେଷକରି ନର୍ଥ ଆଇଲାଣ୍ଡରେ ଏହାର ଅଧିକ ପ୍ରଭାବ ପଡୁଛି । ପ୍ରକୃତରେ ନ୍ୟୁଜିଲାଣ୍ଡରେ ବାତ୍ୟା ସ୍ଥିତି ଦେଇ ଗତି କରୁଛି । ବାତ୍ୟା ଯୋଗୁଁ ଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତ୍ତିଭୂମି ଧୋଇ ଯାଉଛି ।"