ହାଇଦ୍ରାବାଦ:ନେପାଳ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଗଣହତ୍ୟା ମାମଲା । ଦେଶରେ ସଶସ୍ତ୍ର ବିଦ୍ରୋହ ସମୟରେ ପ୍ରାୟ 5 ହଜାର ନାଗରିକଙ୍କ ଗଣହତ୍ୟାର ଉତ୍ତରଦାୟୀ ଭାବେ ନିଜକୁ ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ (ପ୍ରଚଣ୍ଡ)ଙ୍କ ବିରୋଧରେ ଏହି ମାମଲା ଦାଏର ହୋଇଛି । ମାର୍ଚ୍ଚ 9 ତାରିଖରେ ଏହି ମାମଲାର ଶୁଣାଣି ନେପାଳ ସର୍ବୋଚ୍ଚ କୋର୍ଟରେ ହେବାକୁ ଯାଉଛି । ଏଥିରେ ପ୍ରଧାନମନ୍ତ୍ରୀ ତଥା ମାମଲାର ଅଭିଯୁକ୍ତ ପ୍ରଚଣ୍ଡ କୋର୍ଟରେ ଉପସ୍ଥିତ ରହିବେ । ଏନେଇ ତାଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯିବା ସହ ଶୁଣାଣିରେ ଉପସ୍ଥିତ ରହିବା ସହ ନୋଟିସ ମଧ୍ୟ କରାଯାଇଛି ।
2020 ମସିହାରେ ରାଜଧାନୀ କାଠମାଣ୍ଡୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ କହିଥିଲେ, ସେ ଦେଶରେ ସଶସ୍ତ୍ର ବିଦ୍ରୋହ ସମୟରେ 5,000 ଲୋକଙ୍କ ହତ୍ୟାକୁ ସ୍ବୀକାର କରୁଛନ୍ତି । ପୂର୍ବ ସରକାରଙ୍କ ଶାସନ କାଳରେ ସଶସ୍ତ୍ର ବିଦ୍ରୋହ ସମୟରେ ପ୍ରାୟ 12 ହଜାର ଲୋକଙ୍କ ପ୍ରାଣହାନୀ ଘଟିଥିଲା । ଏଥିପାଇଁ ତାଙ୍କୁ ଦାୟୀ କରାଯାଇ ପାରିବନାହିଁ । ଏହି ଗଣହତ୍ୟା ପୂର୍ବ ସରକାରଙ୍କ ନିର୍ଦ୍ଦେଶରେ ହୋଇଥିଲା । ହେଲେ ଅତି କମରେ ପ୍ରାୟ 5 ହଜାର ଲୋକଙ୍କ ପ୍ରାଣହାନୀ ପାଇଁ ସେ ଉତ୍ତରଦାୟିତ୍ବ ଗ୍ରହଣ କରୁଛନ୍ତି ବୋଲି ପ୍ରଚଣ୍ଡ କହିଥିଲେ ।