କାଠମାଣ୍ଡୁ: ନେପାଳର ପୋଖରା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ କ୍ରାସ ଘଟଣା । ବିମାନରେ ଥିବା ୭୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ୬୮ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାକି ୪ଜଣଙ୍କ ମୃତଦେହ ଏପର୍ଯ୍ୟନ୍ତ ପତ୍ତା ମିଳିନଥିବା ବେଳେ ଆଜି(ସୋମବାର) ସକାଳ ସମୟରେ ଉଦ୍ଧାରକାରୀ ଟିମ ପୋଖରାରେ ପୁଣି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଏନେଇ ନେପାଳର ପୋଲିସ ଫୋର୍ସ ତରଫରୁ ସୂଚନା ପ୍ରଦାନ କରାଯାଇଛି । ତେବେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଦୁର୍ଘଟଣାଗସ୍ତ ହୋଇଥିବା ବିମାନ ବ୍ଲାକ ବକ୍ସ ମିଳିଛି । ଏନେଇ ବିମାନବନ୍ଦର ଅଧିକାରୀ ଶେର୍ ବାଥ୍ ଠାକୁର ସୂଚନା ଦେଇଛନ୍ତି ।
ବ୍ଲାକ ବକ୍ସ କଣ: ବ୍ଲାକ ବକ୍ସ କୌଣସି ବିମାନର ଗୁରୁତ୍ବପୂର୍ଣ୍ଣ ଅଂଶ ଅଟେ । ଏହା ଯେକୌଣସି ବିମାନରେ ଲାଗିଥିବା ଏକ ଇଲେକ୍ଟ୍ରୋନିକ୍ସ ଡିଭାଇସ । ଏହି ଉପକରଣ ଉଡାଣ ସମୟରେ ବିମାନର ସମସ୍ତ ପ୍ରକାର ଗତିବିଧିକୁ ରେକର୍ଡ କରିଥାଏ । ସାଧାରଣତଃ ଲୋକେ ଭାବନ୍ତି ଏହାର ରଙ୍ଗ କଳା ହୋଇଥିବ ତେଣୁ ଏହାର ନାମ ବ୍ଲାକ ବକ୍ସ । ହେଲେ ନାଁ, ପ୍ରକୃତରେ ବ୍ଲାକ ବକ୍ସର ରଙ୍ଗ କଳା ନୁହେଁ ବରଂ କମଳା ରଙ୍ଗ । ବିମାନ ଦୁର୍ଘଟଣା ହେବା ପରେ ମଧ୍ୟ ଏହା ନଷ୍ଟ ହୋଇନଥାଏ । ଦୁର୍ଘଟଣାଗ୍ରସ୍ତ ବିମାନକୁ ଖୋଜିବାରେ ବିଳମ୍ବ ହେଲେ ବି ବ୍ଲାକ ବକ୍ସରେ ସଂରକ୍ଷିତ ଡାଟା ସୁରକ୍ଷିତ ରହିଥାଏ ।