ମିଆଁମାର:ମିଆଁମାରରେ ଦିନକୁ ଦିନ ସେନା ଏବଂ ସାଧାରଣଲୋକଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ମିଆଁମାରର ସେନା ଭାରତର ସୀମାରେ ଏୟାର ଷ୍ଟ୍ରାଇକ ବଢ଼ିବାରେ ଲାଗିଛି । କ୍ଷମତା ହାସଲ କରିବାର ଦୁଇ ବର୍ଷ ପରେ ସଶସ୍ତ୍ର ପ୍ରତିରୋଧକୁ ଦୂର କରିବା ପାଇଁ ମିଆଁମାରର ସାମରିକ ଶାସକଙ୍କ ନିର୍ଦ୍ଦେଶରେ ଭାରତ ସୀମାରେ ମିଆଁମାରର ସୈନ୍ୟବାହିନୀ ଏୟାର ଷ୍ଟ୍ରାଇକକୁ ବୃଦ୍ଧି କରୁଛନ୍ତି । ମାନବାଧିକାର ମନିଟରିଂ କମିଟି କହିଛନ୍ତି ଏହି ଏୟାର ଷ୍ଟ୍ରାଇକର ବୃଦ୍ଧି ଦେଶକୁ ଦୀର୍ଘ କାଳୀନ ଗୃହଯୁଦ୍ଧ ଅଭିମୁଖେ ଆଗ୍ରସର କରୁଛି ।
ଏହି ଆକ୍ରମଣ ସମୟରେ ଭାରତ ସୀମାବର୍ତ୍ତୀ ତିଆଉ ନଦୀ ଉପରେ ଏକ ବୋମା ପଡିଥିଲା କିନ୍ତୁ ଏଥିରେ କୌଣସି ବଡ଼ କ୍ଷତି ହୋଇ ନଥିଲା । ଭାରତୀୟ ସୀମାରେ ବୋମା ପଡିବା ଖବର ପ୍ରଥମେ ଏକ ବ୍ରିଟିଶ ଖବରକାଗଜ ସ୍ଥାନୀୟ ଲୋକଙ୍କ ତଥ୍ୟ ଆଧାରରେ ପ୍ରକାଶିତ କରିଥିଲା। ସୂଚନା ମୁତାବକ, ଏହାଦ୍ୱାରା ଏକ ଟ୍ରକର କିଛି ଅଂଶ ଭାଙ୍ଗିରୁଜି ଯାଇଥିଲା ।
ମିଆଁମାର ସହିତ ଭାରତର ମିଜୋରାମର ୧,୬୨୪ କିଲୋମିଟର ଲମ୍ବା ସୀମା ସଂଲଗ୍ନ ରହିଛି । ଅନ୍ୟପକ୍ଷରେ ମଙ୍ଗଳବାର ଏନଜିଓ ମିଆଁମାର ଓ୍ବିଟନେସ ଏବଂ ଅନ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ମିଆଁମାରର ସେନା ଚୀନ ଋଷିଆ ଦ୍ବାରା ପ୍ରଦାନ କରାଯାଇଥିବା ଯୁଦ୍ଧ ହେଲିକପ୍ଟର ଉପରେ ନିର୍ଭରଶୀଳ । ଗତ ବର୍ଷ ଜୁଲାଇରୁ ଡିସେମ୍ବର ମଧ୍ୟଭାଗରେ ହୋଇଥିବା ୧୩୫ ଏୟାରଷ୍ଟ୍ରାଇକ ଘଟଣା ସମ୍ପର୍କରେ ସଂଗଠନ ସୂଚନା ସଂଗ୍ରହ କରି ସେପ୍ଟେମ୍ବରରୁ ଏୟାର ଷ୍ଟ୍ରାଇକ ସଂଖ୍ୟା ବୃଦ୍ଧି ପାଉଥିବା ଦର୍ଶାଯାଇଥିଲା ।
ରିପୋର୍ଟ ଅନୁଯାୟୀ, ମିଆଁମାରର ସୈନ୍ୟବାହିନୀ କବ୍ଜା କରିଥିବା କ୍ଷେତ୍ରାଞ୍ଚଳରେ ନିଜ ଆଧିପତ୍ୟ ବଜାୟ ରଖିବାକୁ ଚେଷ୍ଟା କରୁଛି । ଫଳରେ ଏଠାରେ ବାରମ୍ବାର ଏୟାର ଷ୍ଟ୍ରାଇକ କରାଯାଉଛି । ଏଥିରେ କୁହାଯାଇଛି ଯେ, ମିଆଁମାର ସେନା ଲୋକଙ୍କୁ ଭୟଭୀତ ଅବସ୍ଥାରେ ରଖିଛି । ଏୟାର ଷ୍ଟ୍ରାଇକ୍ ମାଧ୍ୟମରେ ଘର, ବିଦ୍ୟାଳୟ ଏବଂ ପୂଜାପାଠ ସ୍ଥାନକୁ ନଷ୍ଟ କରୁଛି । ଏୟାର ଷ୍ଟ୍ରାଇକରେ ବର୍ତ୍ତମାନ ସୁଦ୍ଧା ୪୬୦ ଜଣଙ୍କ ମୃତ୍ୟୁ ଘଟିଥିବା ଏକ ବେସରକାରୀ ସୂତ୍ରରୁ ପ୍ରକାଶ ପାଇଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି । ମାନବଧିକାର ନାଗରିକ ସମୂହ ଆସୋସିଏସନ୍ ଫର ପଲିଟିକାଲ ପ୍ରିଜନର ଆନୁଯାୟୀ ସେନା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧରେ ପ୍ରାୟ ୨ ହଜାର ୯୦୧ ଜଣଙ୍କ ମୃତ୍ୟୁ ଘଟିଛି । ମିଆଁମାର ଶାସନ କ୍ଷମତା ସେନା ହାତକୁ ଯିବା ପରେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ