ହାଇଦ୍ରାବାଦ:ଜାରି ରହିଥିବା ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବର୍ଷ ଆରମ୍ଭରୁ ବଡ ଖବର ସାମ୍ନାକୁ ଆସିଛି । ୟୁକ୍ରେନର ବିଦ୍ରୋହ ଅଞ୍ଚଳ ଡୋନେଟସ୍କରେ ୟୁକ୍ରେନ ସେନାର ଆକ୍ରମଣରେ 63ରୁଷୀୟ ଯବାନ ନିହତ ହୋଇଥିବା ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଭିଯୋଗ କରିଛି (Moscow claims 63 Russian soldiers killed) । ମସ୍କୋ କହିଛି ଆମେରିକା ନିର୍ମିତ ଅସ୍ତ୍ରରେ ୟୁକ୍ରେନ ଯବାନ ଋଷ ସେନା ଶିବିର ଉପରେ ଏହି ଆକ୍ରମଣ କରିଛି । ଆମେରିକାର ପ୍ରସ୍ତୁତ ଯୁଦ୍ଧାସ୍ତ୍ର ମାଧ୍ୟମରେ 6ଟି ରକେଟ ମାଡ କରାଯାଇଥିବା ମସ୍କୋ ଅଭିଯୋଗ କରିଛି ।
ଡୋନାଟସ୍କ୍ ପିପୁଲ୍ସ ରିପବ୍ଲିକର ଏକ ବସ୍ତି ଅଞ୍ଚଳରେ ଋଷର ସଶସ୍ତ୍ର ବାହିନୀର ଏକ ୟୁନିଟ ଶିବିର ଥିଲା । ଏହି ଅସ୍ଥାୟୀ ସେନା କ୍ୟାମ୍ପରେ ଆମେରିକାର ନିର୍ମିତ ରକେଟ ପ୍ରଣାଳୀ (HIMARS)ରେ ପ୍ରାୟ 6ଟି ରକେଟ୍ ମାଡ କରିଥିଲା ୟୁକ୍ରେନ ସେନା । ଫଳରେ ସେଠାରେ 63 ଋଷୀୟ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଋଷ କହିଛି । ଏହି ଅଭିଯୋଗ ନେଇ ୟୁକ୍ରେନ ପକ୍ଷରୁ କୌଣସି ଖଣ୍ଡନ କିମ୍ବା ସ୍ବୀକାରୋକ୍ତି ସାମ୍ନାକୁ ଆସିନାହିଁ । ଏପରି ଅଭିଯୋଗରେ ସତ୍ୟତା ଥିଲେ ଋଷ ମଧ୍ୟ ପ୍ରତିଶୋଧମୂଳକ ଭାବେ ଆକ୍ରମଣକୁ ପ୍ରଚଣ୍ଡ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।