ଇସଲାମବାଦ:ରକ୍ତ ସମ୍ପର୍କରେ କଳଙ୍କ ଦାଗ । ଜନ୍ମକଲା ଝିଅକୁ ବି ଛାଡିଲାନି କାମାନ୍ଧ ମଣିଷ । ଯୌନ ଲାଳସା ଚରିତାର୍ଥ କରିବାକୁ ନିଜ ୧୪ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ କରୁଥିଲା । ଦୀର୍ଘ ୩ ମାସ ଧରି ବାପାର ଦ୍ବାରା ଦୁଷ୍କର୍ମର ଶିକାର ହେବା ପରେ ଶେଷରେ ପୀଡିତା ଗୁଳି କରି ନିଜ ଦୁଷ୍କର୍ମକାରୀ ବାପାକୁ ହତ୍ୟା କରିଛି । ହତବାକ୍ କଲାଭଳି ଏହି ଘଟଣାଟି ହେଉଛି ପାକିସ୍ତାନ ଲାହୋର ସହରର । ଶନିବାର ସକାଳେ ନାବାଳିକା ଝିଅ ତା'ର ବାପାଙ୍କୁ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି ।
ପୋଲିସ ସୂଚନା ମୁତାବକ, ମୃତକର ନାମ ବିଲାଲ ଖାନ । ସେ ଜଣେ ଦରଜୀ ଥିଲା । ବିଲାଲ ଗତ ୩ ମାସ ହେଲା ନିଜର ୧୪ ବର୍ଷୀୟ ଝିଅ ସହ ଦୁଷ୍କର୍ମ କରୁଥିଲା । ବାପାର ଏଭଳି କୁକର୍ମରେ ପୀଡିତା ବ୍ୟତିବ୍ରସ୍ତ ହୋଇପଡିଥିଲେ । ବାରମ୍ବାର ଦୁଷ୍କର୍ମର ଶିକାର ହେବାରୁ ସେ ଦୁଷ୍କର୍ମକାରୀ ବାପାକୁ ସବୁଦିନ ପାଇଁ ଶେଷ କରିଦେବାକୁ ସ୍ଥିର କରିଥିଲେ । ଶନିବାର ସକାଳ ପ୍ରାୟ ୬ଟା ବେଳେ ବିଲାଲ ଘରେ ଶୋଇଥିବା ଅବସ୍ଥାରେ ପୀଡିତା ତାକୁ ଗୁଳି କରିଥିଲେ । ଏଥିରେ ଘଟଣାସ୍ଥଳରେ ହିଁ ତା'ର ମୃତ୍ୟୁ ହୋଇଯାଇଥିଲା ।